ସଂକ୍ରମଣ ବୃଦ୍ଧିକୁ ଦେଖି ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି : ମେ ୧୫ ଯାଏ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ 

  • ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଘୋଷଣା
  • ମେ ୧୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ଘୋଷଣା
  • କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଉପ ଜିଲ୍ଲାପାଳଙ୍କ ସୂଚନା
  • ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତି ଚାଲୁ ରହିବ- ଉପ ଜିଲ୍ଲାପାଳ

 

ପୁରୀ : କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ମେ ୧୫ ତାରିଖ ଯାଏ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସମସ୍ତ ଧର୍ମାନୁଷ୍ଠାନରେ କେବଳ ରୀତିନୀତି ପାଳନ ହେବ । ହେଲେ କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ମେ ୧୫ ପରେ ସେତେବେଳର ସ୍ଥିତିକୁ ନଜରରେ ରଖି ପୁଣି ନିଷ୍ପତ୍ତି ନିଆଯିବ ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।

ସେପଟେ ଗତକାଲି ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ । କୋଭିଡକୁ ଦେଖି ମେ ୧୫ ତାରିଖ ଯାଏ ଏହି ନିୟମ ଜାରି ରହିବ । ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିଛି । କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ଆହୁରି ସମସ୍ୟା ହୋଇପାରେ । ତେଣୁ ଶ୍ରୀଜିିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ସେହିପରି ମହାମାରୀର ଭୟାବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ କଟକଣା ଲାଗୁ । ଗତକାଲି ଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପୁରୀ ଜିଲ୍ଲାର ଲୋକେ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ । ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଥିଲେ ।

 

You might also like