ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ୍ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ସମର୍ଥନ ବଢ଼ିବାରେ ଲାଗିଛି। ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ। ଆସନ୍ତାକାଲି ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।

କାଲିର ଭାରତ ବନ୍ଦ ପାଇଁ ୩ ସୂତ୍ରୀ ଗାଇଡଲାଇନ ଜାରି କଲା କେନ୍ଦ୍ର-

  • ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

  • ସୁରକ୍ଷା କଡ଼ାକଡ଼ି କରିବା ସହ ଶାନ୍ତି ବଜାୟ ରଖିବା ନେଇ ପରାମର୍ଶ

  • କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ ନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ

ଏପଟେ ଆସନ୍ତାକାଲି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି। ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ରାସ୍ତା ବନ୍ଦ କରାଯିବ ।  କଂଗ୍ରେସର ସମସ୍ତ ନେତା ଭାରତ ବନ୍ଦରେ ସାମିଲ ହେବେ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ବିଜେପି କହିଛି, ବାମପନ୍ଥୀ ଦଳ ଓ କଂଗ୍ରେସ କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଆନ୍ଦେ।ଳନ କରାଉଛନ୍ତି ।

ନୂଆ କୃଷି ଆଇନ ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ଏହାସହ ରାଜ୍ୟରେ ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କିନ୍ତୁ ଚାଷୀଙ୍କ ସମସ୍ୟା ପ୍ରତି ଆମର ରାଜନୈତିକ ସମର୍ଥନ ରହିଥିବା ବିଜେଡି ସ୍ପଷ୍ଟ କରିଛି।

ଭାରତ ବନ୍ଦରେ କ’ଣ ଖୋଲା ରହିବ କ’ଣ ବନ୍ଦ ରହିବ

କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ନୀତିକୁ ବିରୋଧ କରି ଆସନ୍ତାକାଲି ବିଭିନ୍ନ କୃଷକ ସଂଗଠନ ପ‌କ୍ଷରୁ ଭାରତ ବନ୍ଦ ଡାକରା ଦିଆହୋଇଛି । ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ହରିୟାଣା, ପଂଜାବ, ଉତ୍ତରପ୍ରଦେଶ, ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ଚାଷୀ । ତେବେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇନି ପଶ୍ଚିମବଙ୍ଗ ।

ଏହା ସହିତ ଭାରତ ବନ୍ଦ ଡାକରାକୁ ଦେଶର ୧୦ଟି ଟ୍ରେଡ୍ ୟୁନିଅନ ମଧ୍ୟ ସମର୍ଥନ ଜଣାଇଛନ୍ତି । ଦିଲ୍ଲୀ ସୀମାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଷୀମାନେ ସକାଳରୁ ସନ୍ଧ୍ୟା ଯାଏ ଭାରତ ବନ୍ଦ ଡାକରା ଦେଇଛନ୍ତି ।  ଅପରାହ୍ମ ୩ଟା ଯାଏଁ ଚକା ବନ୍ଦ ରହିବ । ଏଥିରେ ଆବଶ୍ୟକୀୟ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ଭାରତ ବନ୍ଦ ବେଳେ କେଉଁ ରାଜ୍ୟରେ କଣ ବନ୍ଦ ରହିବ

୧. ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ସମସ୍ତ ଧାନ ମଣ୍ଡି ବନ୍ଦ ରହିବ

୨. ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏଁ ଭାରତ ବନ୍ଦ ରହିବ ବୋଲି ବିଭିନ୍ନ ସଂଗଠନ ପ‍କ୍ଷରୁ ଡାକରା ଦିଆଯାଇଥିବା ବେଳେ କୃଷକ ନେତା ରାକେଶ ଟିକାୟତଙ୍କ କହିବା ଅନୁସାରେ ଦିନ ୧୧ଟାରୁ ଅପରାହ୍ମ ୩ଟା ଯାଏଁ ଭାରତ ବନ୍ଦ ଡାକରା ଦିଆଯାଇଛି ।

୩. ଭାରତ ବନ୍ଦ ଡାକରା ବେଳେ ଗମନାଗମନ ଠପ୍ ହେବ, ରେଳ ଓ ବସ୍‌ ଯାତ୍ରୀ ହଇରାଣ ହୋଇପାରନ୍ତି ।

୪. ଅତ୍ୟାବଶ୍ୟକ ସେବା ଯେପରିକି ଦୁଗ୍ଧ, ପନିପରିବା ବିକ୍ରି ଚାଲୁ ରହିବ ।

୫. ବନ୍ଦ ବେଳେ ଆମ୍ବୁଲାନ୍ସ ଗଡ଼ିବ । ଫାୟାର ସର୍ଭିସ୍ ବାଧାପ୍ରାପ୍ତ ହେବ ନାହିଁ । ମେଡିସିନ୍ ଦୋକାନ ଖୋଲା ରହିବ ।

୬. ପୂର୍ବପରି ମେଡିକାଲ ଖୋଲା ରହିବ, ରୋଗୀମାନେ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ

ରାଜଧାନୀ ଦିଲ୍ଲୀରେ କିଛି ଅଟୋ ଓ ଟ୍ୟାକ୍ସି ୟନିଅନ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେଣୁ ରାଜଧାନୀ ବାସୀ କାର୍ଯ୍ୟସ୍ଥଳକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବେ  ।

You might also like