ଟ୍ୱିନ୍ସିଟିରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍, ଶନିବାର ରହିବ ବନ୍ଦ
ଭୁବନେଶ୍ୱର: କରୋନା କଟକଣାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସ ପାଇଁ ସରକାରୀ ଅଫିସ୍ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର, କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ।
ଏହାସହ ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସ୍ର ସମସ୍ତ କର୍ମଚାରୀ ଅଫିସ୍ ଆସିବେ। ସେହିପରି SRC, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗର ସବୁ ଷ୍ଟାଫ୍ ଅଫିସ ଆସିବାକୁ ବିଜ୍ଞପ୍ତିରେ କୁହାଯାଇଛି। ତେବେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏହାଛଡ଼ା ବିଧାନସଭା ସହ ଯୋଡ଼ି ହୋଇଥିବା ସମସ୍ତ କର୍ମଚାରୀ ସବୁଦିନ ଅଫିସ ଆସିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ କିଏ କିଏ ଅଫିସ ଆସିବେ, ସେନେଇ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ହିଁ ନିଷ୍ପତ୍ତି ନେବେ। ଯଦି କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି, ଏ କ୍ଷେତ୍ରରେ କରୋନା ପ୍ରୋଟକଲ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଅନ୍ୟପକ୍ଷେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଗତ ୨ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୩୦୦ ତଳେ ଥିବାବେଳେ ଆଜି ୩୦୦ ଟପିଛି। ଆଜି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଆଜି ସର୍ବାଧିକ କରୋନା ରୋଗୀ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛି। ଏହି ଦୁଇ ଜିଲ୍ଲାରୁ ୨୮ ଜଣ ଲେଖାଏ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କଟକ ଓ ଖୋର୍ଦ୍ଧାରୁ ୨୩, ମୟୂରଭଞ୍ଜରୁ ୧୯, କେନ୍ଦୁଝରରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୦, ଝାରସୁଗୁଡ଼ାରୁ ୮, ଅନୁଗୋଳରୁ ୨୬, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୬, ବରଗଡରୁ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଷ୍ଟେଟ୍ ପୁଲ୍ରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।