ବାତ୍ୟାରେ ବିଦ୍ୟୁତ କଟିଲେ କରାଯାଇଛି ଷ୍ଟାଣ୍ଡ ବାଏ ବ୍ୟବସ୍ଥା : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ସମ୍ପର୍କରେ ଆଜି ଶକ୍ତି ବିଭାଗର ବୈଠକ ବସିଥିଲା । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।

ଟାଟା କମ୍ପାନୀକୁ ଅଧିକ ସଜାଗ ରହିବାକୁ କୁହାଯାଇଛି । ବାତ୍ୟାରେ ବିଦ୍ୟୁତ ବିଭ୍ରାଟ ହେଲେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେବୁଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିବା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ସେପଟେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ୱତନ୍ତ୍ର ଟିମ ଗଠନ ହୋଇଛି ଏବଂ ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ ବୋଲି ସେ କହିଛନ୍ତି। ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି, ସମସ୍ତେ ଯୋଗାଯୋଗରେ ଅଛନ୍ତି ।

ସେହିପରି ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି କହିଲେ ଆଇଏମଡ଼ି ଡିଜି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ଏହାସହ ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ ବୋଲି ସୂଚନା ମିଳିଛି।୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ଏହାସହ ୨୫ରୁ ପବନର ବେଗ ବଢ଼ିବ।  ପବନର ବେଗ ଯାହା ରହିଛି ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ଏହାସହ ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ବି ରହିଛି ବୋଲି କହିଲା ପାଣିପାଗ ବିଭାଗ।

You might also like