ଡ୍ରଗ୍ ଫ୍ରୀ ହେବ ରାଜ୍ୟର ସବୁ କ୍ୟାମ୍ପସ

ଭୁବନେଶ୍ୱର: କ୍ୟାମ୍ପସ ଗୁଡ଼ିକୁ ଡ୍ରଗ୍ ଫ୍ରୀ କରିବାକୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଆସନ୍ତା ଶିକ୍ଷାବର୍ଷରୁ ସବୁ  ଶିକ୍ଷାନୁଷ୍ଠାନ ନିଶାମୁକ୍ତ ହେବା ନେଇ ଯୋଜନା ବି କରାଯାଉଛି। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା, NSSର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ତେବେ ଖୁବଶୀଘ୍ର ଏନେଇ ଗାଇଡ ଲାଇନ୍ ଜାରି କରିବ ଉଚ୍ଚ ଶିକ୍ଷା ବିଭାଗ। କିଛି ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଡ୍ରଗ ସଚେତନତା କ୍ୟାମ୍ପସରୁ ଆରମ୍ଭ କରିବାକୁ ଚିଠି ହୋଇଥିଲା।

ବିଶେଷ କରି ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ନିଶାସକ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ଏହାକୁ ରୋକିବା ଲାଗି କ୍ୟାମ୍ପସରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ନିଶା ସେବନ ହାର ଯଥେଷ୍ଟ କମ୍ ରହିଛି। ତଥାପି ଏହି ହାରକୁ ଜିରୋରେ ପହଞ୍ଚାଇବା ପାଇଁ ଏନ୍ଏସ୍ଏସର ସ୍ୱେଚ୍ଛାସେବୀ ମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟର ୨୧ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ ୧୫ ହଜାର ୫ଶହ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି।

ତେବେ ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ଯେ, କ୍ୟାମ୍ପସ ପରିସରରେ ଡ୍ରଗ, ଗୁଟଖା ଆଦି  ମାଦକ ଦ୍ରବ୍ୟକୁ ବନ୍ଦ କରିବାକୁ ଏକ ଆୱାର ନେସ୍ କାର୍ଯ୍ୟକ୍ରମ କରାଯିବ। NSS ସ୍ୱେଚ୍ଛାସେବୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅନୁରୋଧ ଆସିଥିଲା। ତେଣୁ ସେମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ନିଜ ପ୍ରତିକ୍ରିୟାରେ ଉତ୍କଳବିଶ୍ୱବିଦ୍ୟାଳୟ ପ୍ରଫେସର କହିଛନ୍ତି ଯେ, ପ୍ରଥମେ ପିଲାମାନଙ୍କୁ ବୁଝାଇବାକୁ ପଡ଼ିବ ଯେ, ତୁମେ ମାନେ ପାନ କି ଗୁଟଖା ଖାଅ ନାହିଁ। ପ୍ରତି ହଷ୍ଟେଲରେ ଏହାର ସଚେତନତା ବାର୍ତ୍ତା ଲଗାଯାଇ ପିଲାଙ୍କୁ ସଚେତନ କରାଯାଉଛି।

You might also like