୧୯-୨୦ର ସବୁ ନବମ ପିଲା ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ। ସମସ୍ତ ପିଲା ମାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଘୋଷଣା କରିଛନ୍ତି। ୨୦୨୧ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଏହି ଛାତ୍ରଛାତ୍ରୀମାନେ ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ସରକାର କହିଛନ୍ତି। କୋଭିଡ଼ ପାଇଁ ୨୦୨୦ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସ୍କୁଲ ବନ୍ଦ ଥିବାରୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହୋଇପାରିନଥିଲା। ସେହିପରି ୨୦୧୯-୨୦ରେ ଏକାଦଶ ପଢୁଥିବା ସବୁ ପିଲା +୨ ପରୀକ୍ଷା ଦେଇପାରିବେ। ଅର୍ଥାତ୍ ୧୯-୨୦ ଶିକ୍ଷାବର୍ଷରେ ନବମ ଓ ଏକାଦଶରେ ପାଠ ପଢୁଥିବା ପିଲା ଗତ ବର୍ଷ କରୋନା ଯୋଗୁଁ ପରୀକ୍ଷା ଦେଇପାରିନଥିଲେ।

ଗତକାଲି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ।  ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ। ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି। ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏଁ ଚାଲିବ। କିନ୍ତୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ଏଥର ମଧ୍ୟ OMRରେ ଅବ୍‌ଜେକ୍ଟିଭ ଏବଂ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ ଛାତ୍ରଛାତ୍ରୀ। ଏ ବର୍ଷ ମାଟ୍ରିକ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଆଗରୁ ମେରେ ପରୀକ୍ଷା ହେବା ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହାର କାର୍ଯ୍ୟସୂଚୀ ପ୍ରକାଶ ପାଇନଥିଲା। କିନ୍ତୁ ଆଜି ଏନେଇ ବିଧିବଦ୍ଧ ବାବେ କାର୍ଯ୍ୟସୂଚୀ ଆସିଛି।  ଛାତ୍ରଛାତ୍ରୀମାନେ ଏଥର ୮୦ ମାର୍କର ପରୀକ୍ଷା ଦେବେ। କିନ୍ତୁ ୧୦୦ ମାର୍କରୁ ଫଳାଫଳ ହିସାବ କରାଯିବ। ଅର୍ଥାତ୍ ୮୦ରୁ ଯେତିକି ମାର୍କ ରଖିବେ, ସେହି ଅନୁସାରେ ୧୦୦ରୁ ହିସାବ କରାଯିବ। ପରୀକ୍ଷା ସହଜ ଦୃଷ୍ଟିରୁ ଏଥର ୫୦ ମାର୍କର ଅବଜେକ୍ଟିଭ୍ ରଖାଯାଇଛି। ଏହି ପରୀକ୍ଷା ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। ୯ଟାରୁ ୧୦ଟା ପର୍ଯ୍ୟନ୍ତ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ। ଏଥର ନିଜ କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ତେବେ ରବିବାରରେ ବି ସ୍କୁଲ୍‌ରେ ଚାଲିଛି ପାଠପଢ଼ା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସୁଥିବା ବେଳେ କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯାଇଛି। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।

You might also like