ନିରାପଦ ନୁହେଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଠା
ଆଳି (କେନ୍ଦ୍ରାପଡ଼ା): ସରକାର ସ୍ୱାସ୍ଥ୍ୟେସବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କହୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି କ’ଣ ତାହା କେନ୍ଦ୍ରାପଡ଼ା ଜିଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦେଖିଲେ ଜଣାପଡ଼ିବ। ଏହି ହସ୍ପିଟାଲ ସତେ ଯେମିତି ପାଲଟିଛି ଭୂତକୋଠି। କେଉଁଠି କାନ୍ଥରେ ଗଛ ଉଠିଲାଣି, ଆଉ କେଉଁଠି ଛାତ ଫାଟି ଆଁ କଲାଣି। ଏହା ସହିତ ବିଭିନ୍ନ ସମୟରେ କାନ୍ଥରୁ କଂକ୍ରିଟ୍ ଖସି ରୋଗୀ ଆହତ ହେବାର ବି ଅଭିଯୋଗ ଆସିଛି। ଆଉ ଏଭଳି ଅବସ୍ଥାରେ ପ୍ରତିଦିନ ଡାକ୍ତର ଏଠି ରୋଗୀ ଚିକିତ୍ସା କରିଥାନ୍ତି। ହସ୍ପିଟାଲ ଆସୁଥିବା ରୋଗୀ ଛାତକୁ ଦେଖି ଭୟ କରନ୍ତି, କାଳେ ତାଙ୍କ ଉପରେ ଖସିପଡ଼ିବ କି ପ୍ଲାଷ୍ଟର।
ପ୍ରତିଦିନ ଏଠାକୁ ଆଳି ଓ ରାଜକନିକା ବ୍ଲକ୍ର ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ମେଡିକାଲର ଏଭଳି ଦୁରବସ୍ଥା ପାଇଁ ଆତଙ୍କିତ ଅବସ୍ଥାରେ ରୋଗୀ ଏବଂ ଡାକ୍ତର।
୧୯୬୦ରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇବାକୁ ଯାଉଥିବା ଏହି ମେଡିକାଲଟି ଭୁଶୁଡିବାକୁ ବସିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ହସ୍ପିଟାଲର ଉନ୍ନତିକରଣ ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
( ଆଳିରୁ ବନମାଳି ସାହୁଙ୍କ ରିପୋର୍ଟ)