କାମ ଦେଉନି ସପ୍ତାହାନ୍ତ ସଟଡାଉନ୍‌ କି ନାଇଟ୍‌ କର୍ଫ୍ୟୁ

ଚିନ୍ତା ବଢାଉଛି ରାଜଧାନୀ

ଭୁବନେଶ୍ୱର: ଝଡ଼ ପରି ମାଡ଼ି ଚାଲିଥିବା ମହାମାରୀ, ମହାବିପଦ ଆଣିଛି। ରାଜଧାନୀ ସମେତ ସଂଲଗ୍ନ ଖୋର୍ଦ୍ଧା ଏବଂ ଜଟଣୀରେ ଉଦବେଗଜନକ ହାରରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା। ଗତ ସପ୍ତାହକ ଭିତରେ ୧୯ ଜଣଙ୍କ ଜୀବନ ନେଇଛି ଏହି ଅଦୃଶ୍ୟ ଭୂତାଣୁ। କେବଳ ପ୍ରାଣହାନୀ ନୁହେଁ, ସଂକ୍ରମଣର ଗ୍ରାଫ୍ ବି ଉପରମୁହାଁ ରହିଛି। ଏପ୍ରିଲ ୫ ସୁଦ୍ଧା ଡବଲ୍ ଡିଜିଟ୍ ଥିବା ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ଲଗାତର ରେକର୍ଡ କରି ଏବେ ୨ ହଜାର ମୁହାଁ ହେଲାଣି। ନା କାମ ଦେଉଛି କର୍ଫ୍ୟୁ ନା ସଂକ୍ରମଣକୁ ଲଗାମ ଲଗାଇ ପାରୁଛି ସଟଡାଉନ୍‌?  ଗମନାଗମନର ପ୍ରମୁଖ ଦ୍ୱାର ପାଲଟିଥିବା ରାଜଧାନୀ ଏବେ ଚିନ୍ତା ବଢ଼ାଇଥିବାବେଳେ ସ୍ଥିତି ମୁକାବିଲା ପାଇଁ ଜାରି ରହିଛି ପ୍ରସ୍ତୁତି।

ଖୋର୍ଦ୍ଧା ଜିଲ୍ଲାରେ ଅସମ୍ଭାଳ ହେଲାଣି କି କରୋନା ସଂକ୍ରମଣ ସ୍ଥିତି ? ଅଦୃଶ୍ୟ ଭୂତାଣୁର ତାଣ୍ଡବ ଅଣାୟତ୍ତ ହୋଇପଡ଼ିଲାଣି କି ରାଜ୍ୟ ରାଜଧାନୀରେ ? କାରଣ ଅହରହ ରେକର୍ଡ କରୁଛି ମହାମାରୀ। ଯେଉଁ ହାରରେ ବଢ଼ିଚାଲିଛି ସଂକ୍ରମଣ, ମୃତ୍ୟୁ ବଢ଼ିଚାଲିଛି ତାଳ ଦେଇ। ଆଉ ଆଜି ପୁଣି ରାଜ୍ୟରେ ନୂଆ ରେକର୍ଡ଼ କରିଛି କରୋନା। ଆଜି ଦିନକରେ ସର୍ବାଧିକ ୪ ଜଣଙ୍କ ଜୀବନ ଯାଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ। କେବଳ ଆଜି ନୁହେଁ, ଏପ୍ରିଲ ଶେଷ ଭାଗରୁ ମେ ପହିଲା ଯାଏଁ ୧୯ ଜଣଙ୍କ ପ୍ରାଣହାନୀ ହୋଇସାରିଲାଣି। ଦୈନିକ ସଂକ୍ରମଣ ବି ନିଦ ହଜାଇ ଦେଲାଭଳି ରହିଛି। ଏପ୍ରିଲ ୫ରେ ଯେଉଁ ସଂଖ୍ୟା ୯୬ ଥିଲା, ତାହା କ୍ରମାଗତ ବୃଦ୍ଧି ପାଇ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮ ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତାମଧ୍ୟରୁ ସିଂହଭାଗ ହେଉଛି ରାଜଧାନୀ ଭୁବନେଶ୍ୱରରେ। ତେଣୁ ଚିନ୍ତା ଆହୁରି ବଢିଛି। ଶୁକ୍ରବାର ସୁଦ୍ଧା କେବଳ ରାଜଧାନୀରେ ପ୍ରାୟ ୧୨ ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ କାହିଁକି ଏଭଳି ଉପରମୁହାଁ ସଂକ୍ରମଣ ? ସପ୍ତାହାନ୍ତ ସଟଡାଉନ୍‌ ବ୍ୟତୀତ ହାଟ ବଜାରରେ ଅନ୍ୟ ୫ ଦିନ ଖୋଲାମେଲା ସ୍ଥିତି ପାଇଁ ମାଡ଼ିଚାଲିଛି କି ମହାମାରୀ ? ସରକାରୀ ରେକର୍ଡ କହୁଛି, ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୫ ହଜାର ୬୬୨ଟି ଆକ୍ଟିଭ୍ କେସ୍ ଥିବାବେଳେ ୧୨୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ରାଜଧାନୀରେ ଆକ୍ଟିଭ୍ କେସ୍ ୭, ୫୮୮ ରହିଛି। କିନ୍ତୁ ଗତ ପ୍ରାୟ ୩ ଦିନ ହେଲାଣି ହଜାରେ ଉପରେ ଚିହ୍ନଟ ହେଉଛନ୍ତି ପଜିଟିଭ୍। ଆଉ ବଢ଼ିଚାଲିଥିବା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ଜାରି ହୋଇଛି ସପ୍ତାହନ୍ତ ସଟଡାଉନ। ତେଣେ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକରେ ବଢ଼ିଚାଲିଛି ରୋଗୀ ସଂଖ୍ୟା। ରାଜଧାନୀର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩ ହଜାର ୫୫୩ ଶଯ୍ୟା ରହିଛି। ତାମଧ୍ୟରୁ ୫୩୧ଟି ଆଇସିୟୁ, ୮୩୬ଟି ଏଚ୍ଡିୟୁ ଏବଂ ୨,୧୮୬ଟି ଜେନେରାଲ୍ ବେଡ୍ ରହିଥିବାବେଳେ ୯୦ ପ୍ରତିଶତ ଆଇସିୟୁରେ ରୋଗୀ ଚିକିତ୍ସାଧିନ ଅଛନ୍ତି। କିନ୍ତୁ ଏଚ୍ଡିୟୁ ଏବଂ ଜେନେରାଲ୍ ବେଡ୍ ୫୦ ପ୍ରତିଶତ ଲେଖାଏଁ ଖାଲି ରହିଥିବା କହିଛନ୍ତି ବିଏମ୍ସି କମିଶନର।

ଏଣେ ଖୋର୍ଦ୍ଧା ଓ ଜଟଣୀରେ ସଂକ୍ରମଣ ସ୍ଥିତି ସାଂଘାତିକ ରହିଛି।  ଜଟଣୀ ପୌରାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲୋକଙ୍କ କହିବା କଥା, ଜଟଣୀରେ ଘରେ ଘରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।  ତେବେ ଖୋର୍ଦ୍ଧା ସବଡିଭିଜନରେ ସଂକ୍ରମଣ ହାର ଦେଖି ପ୍ରଶାସନ ପକ୍ଷରୁ ୧୦ଟି ବ୍ଲକରେ ୨୨ଟି କ୍ଲଷ୍ଟର ଟିଏମ୍ସି କରାଯିବା ସହ RRT ଟିମ୍ ପ୍ରସ୍ତୁତ ରଖାଯାଇଛି। ତାସହ ଖୋର୍ଦ୍ଧା ଓ ଜଟଣୀରେ ୩୦ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି। ସଟଡାଉନ ଏବଂ ନାଇଟ୍ କର୍ଫ୍ୟୁକୁ ମଧ୍ୟ କଡ଼ାକଡ଼ି କରାଯାଉଛି କିନ୍ତୁ କମିବାରେ  ନା ନେଉନାହିଁ କରୋନା।

You might also like