ଦୁର୍ନୀତି ପ୍ରସଙ୍ଗକୁ ନେଇ ମୋଦି ଓ ନବୀନଙ୍କୁ ରାହୁଲଙ୍କ ଆକ୍ରମଣ

ମୋଦିଙ୍କ ହାତରେ ନବୀନଙ୍କ ରିମୋଟ୍ ବୋଲି କହିଲେ ରାହୁଲ୍

ଭୁବନେଶ୍ୱର: ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ ଅଛି। ଦିଲ୍ଲୀରେ ମୋଦି ରିମୋଟ୍ ଟିପିଲେ ନବୀନ ଏଠି ଉଠ୍‌ବସ୍ ହେଉଛନ୍ତି। ବୁଲେଇ ବଙ୍କେଇ ନୁହେଁ କି ଛଦ୍ମ ଭାବରେ ନୁହେଁ ଆଜି ନବୀନଙ୍କୁ ଏମିତି ଢଙ୍ଗରେ ସିଧା ଟାର୍ଗେଟ୍ କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ଏଭଳି ଆକ୍ରମଣ କରିଛନ୍ତି ରାହୁଲ।

ଦିଲ୍ଲୀର ଚୌକିଦାର ଚୋର ବୋଲି କହିବା ସହ ଓଡ଼ିଶାର ବହୁଚର୍ଚ୍ଚିଚ ଚିଟ୍‌ଫଣ୍ଡ ସ୍କାମରେ ନବୀନଙ୍କ ନାଁକୁ ଯୋଡ଼ି ବାଣ ମାରିଛନ୍ତି ରାହୁଲ। ଏଥିସହିତ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର ବୋଲି ମଧ୍ୟ କହିଛନ୍ତି। ହାତଗଣତି ୧୫ ଓ ୨୦ ଉଦ୍ୟୋଗପତିଙ୍କ ଫାଇଦା ପାଇଁ ଉଭୟ ମୋଦି ଓ ନବୀନ କିପରି କାମ କରୁଛନ୍ତି ତାର ହିସାବ ଦେଇଛନ୍ତି ସେ।

ତେବେ ଆଜି ରାହୁଲଙ୍କର ପୂରା ଭାଷଣର ଫୋକସରେ ଥିଲେ ଚାଷୀ। ଭାଷଣରେ ଚାଷୀଙ୍କ କଥା କହିବା ସହିତ ୧୫ ବର୍ଷ ଭିତରେ ରାଜ୍ୟର କେତେ ଜମି ଜଳସେଚିତ କରିଛ ବୋଲି ନବୀନଙ୍କୁ ପ୍ରଶ୍ନ କରିଥିଲେ ରାହୁଲ। ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ ୧୦ ଦିନରେ କୃଷି ଋଣ ଛାଡ଼ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ କ୍ୱିଣ୍ଟାଲ୍ ପିଛା ୨୬ ଶହ ଟଙ୍କା ଦେବାକୁ ସେ ଘୋଷଣା କରିଛନ୍ତି। ଏଥିସହିତ ସବୁ ଜିଲ୍ଲାରେ ଫୁଡ୍‌ ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠାର ବି ପ୍ରତିଶ୍ରୁତି ଦେଇଛନ୍ତି। ଶେଷରେ ଉଭୟ ନରେନ୍ଦ୍ର ଓ ନବୀନଙ୍କ ହରାଇବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ।

ରାହୁଲ ଭୁବନେଶ୍ୱରରେ ପହଁଞ୍ଚିବା ପରେ ପ୍ରଥମେ ସମାଜ ଖବରକାଗଜର ଟାଉନ୍‌ହଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଦ୍ଧିଜୀବୀଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥଲେ। ଏଥିରେ ସେ ଉଭୟ ବିଜେଡି ଓ ବିଜେପିର ଶାସନକୁ ଗୋଟିଏ ମଡେଲ୍ ବୋଲି କହିଥିଲେ। ନବୀନଙ୍କୁ ସ୍ୱେଚ୍ଛାଚାରୀ ଓ ତାଙ୍କ ଶାସନକୁ ଅମଲାତାନ୍ତ୍ରିକ ଏକଛତ୍ରବାଦ ବୋଲି କହି କଡ଼ା ସମାଲୋଚନା କରିଥିଲେ। ରାଜ୍ୟ କଂଗ୍ରେସ ସଂଗଠନ କଥା କହିବା ବେଳେ ନିରଞ୍ଜନ୍ ଓ ତାଙ୍କ ଟିମକୁ ପ୍ରଶଂସା କରିଥିଲେ ରାହୁଲ। ଦଳ ଭିତରେ ଶୃଙ୍ଖଳାର ଆବଶ୍ୟକତା ଉପରେ ବି ସେ ଜୋର ଦେଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ। ଗୋଟିଏ ପଟେ ଜଣଙ୍କ ପରେ ବିଧାୟକ ଦଳ ଛାଡ଼ିବା, ବିଶୃଙ୍ଖଳା ପାଇଁ ନେତାଙ୍କୁ ବହିଷ୍କାର ଭଳି ଘଟଣା ଭିତରେ ଆଜି ରାହୁଲଙ୍କ ଶାଣିତ ଭାଷଣ କଂଗ୍ରେସ ପାଇଁ କିଭଳି ସଞ୍ଜୀବନୀ ଆଣି ଦେଉଛି, ତାକୁ ଅପେକ୍ଷା।

You might also like