ବିଜେପି ଓ ବିଜେଡିର ଯୋଜନା ଲଢ଼େଇ: ଦୁହିଁଙ୍କ କଳିରେ କଂଗ୍ରେସର ଲାଭ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ କିଣିବା ପାଇଁ ମାଳ ମାଳ ଯୋଜନା ହେଉଛି। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନାର ବର୍ଷା କରୁଥିବା ବେଳେ କେନ୍ଦ୍ରର ବିଜେପି ସରକାର  ବି ନୂଆ ନୂଆ ଯୋଜନା ଆଣୁଛନ୍ତି। ତେବେ ଉଭୟଙ୍କ ଫୋକସରେ ଅଛନ୍ତି ଚାଷୀ, ଯୁବବର୍ଗ ମହିଳା ଓ ଆଦିବାସୀ।

ଏହି ୪ ବର୍ଗର ଭୋଟରଙ୍କ ପାଖରେ ଯୋଜନାକୁ ପହଁଞ୍ଚାଇବା ପାଇଁ  ବିଜେପି ଓ ବିଜେଡି ଭିତରେ ଚାଲିଛି ପ୍ରଚାରର ପ୍ରତିଯୋଗିତା। ତେବେ କଂଗ୍ରେସ କହିଛି ଦୁହିଁଙ୍କ କଳିରେ ଆମର ଲାଭ ହେବ।

କାଳିଆ ବନାମ ପିଏମ୍‌ କିଷାନ ଯୋଜନା, ମିଶନ ଶକ୍ତି ବନାମ ଉଜ୍ୱଳା ଦିଦି ଯୋଜନା, ଯୁବବାହିନୀ ବନାମ ଧର୍ମପଦ ଡାଇଲଗ୍‌ ଆଦିବାସୀ ମହାଅଧିବେଶନ ବନାମ ସ୍ୱତନ୍ତ୍ର ବିକାଶ ପରିଷଦ ସମ୍ମିଳନୀ ଚାଷୀ, ମହିଳା ଆଦି ଯୋଜନା ଲଢ଼େଇରେ ଲାଗିଛନ୍ତି ବିଜେପି ଓ ବିଜେଡି।

କାଳିଆକୁ ନେଇ ରାଜ୍ୟ ସରକାର ଚାଷୀ ମହାସମାବେଶ କରୁଥିବା ବେଳେ ବିଜେଡି ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ପ୍ରସଙ୍ଗ କରି ଆନ୍ଦୋଳନ କରୁଛି  ବିଜେପି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ବି ଚାଷୀଙ୍କ ପାଇଁ ପିଏମ କିଷାନ ଯୋଜନା ଆଣିଛି। ମହିଳାଙ୍କ ଭୋଟ ହାତେଇବା ମିଶନ ଶକ୍ତିରେ ୭୦ ଲକ୍ଷ ଏସ୍‌ଏଚ୍‌ଜି ଗ୍ରୁପକୁ ସରକାର ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦେଉଛନ୍ତି।

ଏପଟେ ଏହାକୁ ଟକ୍କର ଦେବାକୁ ଯାଇ ବିଜେପି କରୁଛି ଉଜ୍ୱଳା ସ୍ୱାଭିମାନ ଉତ୍ସବ। ଏହାବାଦ୍ ଉଜ୍ୱଳା ଦିଦିଙ୍କୁ ଏକାଠି କରି ମିଶନ ଶକ୍ତିକୁ ବି ଟକ୍କର ଦେଉଛି ବିଜେପି। ଅନ୍ୟପଟେ ଆଦିବାସୀଙ୍କ ପାଇଁ ୯ ଟି ପଛୁଆ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ସହିତ ଆଦିବାସୀ ଭୋଟ ହାତେଇବାକୁ ବିଜେଡି ଉଦ୍ୟମ କରିଛି। ଆଉ ବିଜେପି ପୁରୀରେ ଆଦିବାସୀ ମୋର୍ଚ୍ଚା ମହାଅଧିବେଶନ କରି ଦମ୍ ଦେଖାଇଛି।

ବାକି ଯୁବକଙ୍କ ପାଇଁ ସରକାରୀ ବ୍ୟାନରେ କାମ କରୁଥିବା ଯୁବ ବାହିନୀଙ୍କୁ ଟଙ୍କା, ମୋବାଇଲ ଓ ବିଦେଶ ଭ୍ରମଣର ପ୍ଲାନକୁ ହଜମ କରିପାରୁନି ବିଜେପି। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ନୂଆ ଓଡ଼ିଶା ଗଠନର ନାରା ଦେଇ ଆରମ୍ଭ କରିଛି ଧର୍ମପଦ ଡାଇଲଗ୍‌।

ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାରରେ ନ ଥିବାରୁ ଯୋଜନାର ରେସ୍‌ରେ ପଛରେ ପଡିଛି କଂଗ୍ରେସ। ତେବେ ବିଜେଡି- ବିଜେପି ଭିତରେ ପ୍ରତିଯୋଗିତାକୁ ଦଳ ସମାଲୋଚନା କରିଛି। ଏପଟେ ଏହି ୪ ବର୍ଗକୁ ଆକୃଷ୍ଟ କରିବାକୁ ଦଳର ହାଇକମାଣ୍ଡ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ୫ ମାସ ଭିତରେ ରାଜ୍ୟ ସରକାର ଏହି ୪ ବର୍ଗ ପାଇଁ ୧୫ରୁ ଅଧିକ ଯୋଜନା ଆଣିଥିବା ବେଳେ କେନ୍ଦ୍ର ସରକାର ବି ପଛରେ ପଡ଼ିନାହାଁନ୍ତି। ଏବେ ନଜର ଏସବୁ ଯୋଜନାରୁ ପ୍ରକୃତରେ ଲୋକେ କେତେ ସୁଫଳ ପାଉଛନ୍ତି।

You might also like