ଏପ୍ରିଲ ୧୧ରେ ୨୦୧୯ ନିର୍ବାଚନ ମହାସମରର ପ୍ରଥମ ଅଙ୍କ

ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍ ପାଇଁ ବୁଥ୍ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ୱର : କେଉଁ ନିର୍ବାଚନ ମଣ୍ଡଳୀର କେଉଁ ମତଦାନ କେନ୍ଦ୍ରରେ ପଡିଛି ଡ୍ୟୁଟି। କାହା ପାଖରୁ ସଂଗ୍ରହ କରିବାକୁ ହେବ ଇଭିଏମ୍ ଓ ଭିଭିପାଟ୍ ମେସିନ୍। ସେ ସୂଚନା ପାଇଁ ଲିଷ୍ଟରେ ନାଁ ଚେକ୍ କରୁଛନ୍ତି ପୋଲିଂ ଅଫିସର।

ବ୍ରହ୍ମପୁର ଆଇଟିଆଇ ପଡ଼ିଆରେ ଆଜି ଦିନ ତମାମ ଏଥିପାଇଁ ଲାଗିଥିଲା ଗହଳି। କିଏ ଲାଇନ୍‌ରେ ଛିଡ଼ା ହୋଇ ଇଭିଏମ୍ ରିସିଭ୍ କରୁଥିଲା ତ ଆଉ କିଏ ମତଦାନ କେନ୍ଦ୍ରକୁ ବାହାରିବା ପୂର୍ବରୁ ଚେକ୍ କରି ନେଉଥିଲା ଭିଭିପାଟ୍।

ଏପ୍ରିଲ ୧୧ରେ ହେବାକୁ ଥିବା ବ୍ରହ୍ମପୁର ଲୋକସଭା ସହ ଏହା ଅନ୍ତର୍ଗତ ୭ ବିଧାନସଭାରେ ମତଦାନ ପାଇଁ ଆଜି ସାଜସରଞ୍ଜାମ ଧରି ଏମିତି ଢଙ୍ଗରେ ବାହାରିଛନ୍ତି ପୋଲିଂ ପାର୍ଟି।

ଠିକ୍ ସେମିତି ଅନ୍ୟ ୩ ଲୋକସଭା ଆସନ ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ସହ ଏହା ଅନ୍ତର୍ଗତ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ପାଇଁ କଡ଼ା ସୁରକ୍ଷାରେ ଆବଶ୍ୟକ ସାମଗ୍ରୀ ଧରି ଭୋଟ୍ ଗ୍ରହଣ କେନ୍ଦ୍ର ମୁହାଁ ହୋଇଛନ୍ତି ପୋଲିଂ ଅଫିସରଙ୍କ ସହ ନିୟୋଜିତ ହୋଇଥିବା କର୍ମଚାରୀ।

ଆସନ୍ତା ୧୧ରେ ନିର୍ବାଚନ ହେବାକୁ ଥିବା ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଏଥର ମଇଦାନରେ ଅଛନ୍ତି ୨୮ଜଣ ପ୍ରାର୍ଥୀ। ସେହିପରି ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୧।

ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩  ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି।

ମୋଟ୍ ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ସର୍ଭେଲାନ୍ସରେ ରଖାଯିବା ସହ ୱେବ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ। ସେପଟେ ଭୋଟ୍ ପୂର୍ବରୁ ଆଜି ମୁନିଗୁଡ଼ାରେ ପୁଲିସ ଓ ସିଆରପିଏଫ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଅନୁଷ୍ଠିତ ହେଉଛି ମତଦାନ। ଯାହାମଧ୍ୟରୁ ଓଡ଼ିଶାର ୪ଟି ବାଦ୍ ତେଲେଙ୍ଗାନାର ୧୭, ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ରର ୭, ବିହାର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନ ରହିଛି। ଏ ସମସ୍ତ ଆସନରେ ଆଜି ସନ୍ଧ୍ୟା ୫ଟାରେ ସରିଯାଇଛି ପ୍ରଚାର।

You might also like