ଫସଲହାନୀ କି ଋଣ ବୋଝ ନେଇ ଚାଷୀ ଆତ୍ମହତ୍ୟା କରି ନାହାନ୍ତି: କୃଷିମନ୍ତ୍ରୀ

ଭୁବନେଶ୍ୱର: ଫସଲହାନୀ କି ଋଣ ବୋଝ କାରଣରୁ ରାଜ୍ୟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ଘରୋଇ କଳି ଓ ମଦ୍ୟପାନ ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।

ଗତ ୫ ବର୍ଷରେ ରାଜ୍ୟରେ ୨୨୭ ଚାଷୀ ଆତ୍ମହତ୍ୟା କରିଛନ୍ତି। ହେଲେ ଜଣେ ହେଲେ ବି ଚାଷୀ ଉପରୋକ୍ତ କାରଣରୁ ଆତ୍ମହତ୍ୟା କରିନଥିବା କହି ସରକାର ଏହି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।

କିନ୍ତୁ ବରଗଡ଼ର ଚାଷୀ ବୃନ୍ଦା ସାହୁଙ୍କ କଥା ସାରା ଓଡ଼ିଶାକୁ ଜଣା। ବୃନ୍ଧା ତାଙ୍କ ଫସଲକୁ ଚକଡ଼ା ପୋକରୁ ବଞ୍ଚାଇବାକୁ ୮ ଥର ଔଷଧ ମାରିଲେ। ସୁଫଳ ନ ମିଳିବାରୁ ପ୍ରଶାସନକୁ ନେହୁରା ବି ହେଲେ। ଶେଷରେ କେହି ନ ଶୁଣିବାରୁ ଫସଲ ପୋଡ଼ିଲେ, ଆଉ ଦିନକ ପରେ ସେହି ଦୁଃଖରେ ଜୀବନ ବି ହାରିଲେ।

୨୦୧୭ ଫେବ୍ରୁଆରୀରେ ବରଗଡ଼ ଚାଷୀ ବୃନ୍ଦାଙ୍କ ସାହୁଙ୍କ ଆତ୍ମହତ୍ୟା ଘଟଣା ସରା ରାଜ୍ୟରେ ଚହଳ ପକାଇଥିଲା। ପରେ ପରେ ଋଣଭାର ଓ ଫସଲହାନୀ କାରଣରୁ ରାଜ୍ୟରେ ଧାରବାହିକ ଭାବେ ଚାଷୀମାନେ ଆତ୍ମହତ୍ୟା କଲେ।

କିନ୍ତୁ ବିଡ଼ମ୍ବନା ହେଉଛି, ଆଜି କୃଷି ମନ୍ତ୍ରୀ ବିଧାନସଭାରେ ଚାଷୀ ଆତ୍ମହତ୍ୟା ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ଋଣ ଓ ଫସଲ ହାନୀର ଚାଷୀ ମୃତ୍ୟୁ ସଂଖ୍ୟା ଶୂନ ବୋଲି ଦର୍ଶାଇଛନ୍ତି।

କୃଷିମନ୍ତ୍ରୀ କହିଛନ୍ତି, ଗଲା ୫ ବର୍ଷରେ ୨୨୭ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ତାଲିକାର ଏକ ନମ୍ବରରେ ରହିଛି ବୃନ୍ଦାଙ୍କ ସାହୁଙ୍କ ନାଁ।  ତେବେ ବୃନ୍ଦାଙ୍କ ଉପରେ ଋଣ ବୋଝ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ସେହିଭଳି ୨୦୧୭ ଫେବ୍ରୁଆରୀରେ ଚାଷୀ ହାଡୁ ବଗର୍ତ୍ତୀର ମୃତ୍ୟ ପଛରେ ଫସଲ ହାନୀ କଥାକୁ ମଧ୍ୟ ସରକାର ଏଡ଼ାଇ ଦେଇଛନ୍ତି।

ଅନ୍ୟପଟେ ବର୍ଷକ ପରେ ବି ଚୀଷୀ ମୃତ୍ୟୁର ତଦନ୍ତ ସରିନଥିବା ବେଳେ ତା ପୂର୍ବରୁ ମନ୍ତ୍ରୀ ଏଭଳି ମନ୍ତବ୍ୟ କେମିତି ଦେଉଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୃନ୍ଦାଙ୍କ ଝିଅ।

୨୦୧୫-୧୬ରେ ସର୍ବାଧିକ ୧୭୫ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଆଉ ତା ଭିତରୁ ୩୩ଜଣ ପାରିବାରିକ କଳହ ଓ ୭ ଜଣ ଅତ୍ୟଧିକ ମଦ୍ୟପାନ ଯୋଗୁ ଆତ୍ମହତ୍ୟା କରିଥିବା କୃଷି ମନ୍ତ୍ରୀ ଉତ୍ତରରେ କହିଛନ୍ତି।

ତେବେ ମନ୍ତ୍ରୀଙ୍କ ଏ ତଥ୍ୟକୁ ଗ୍ରହଣ କରି ପାରି ନାହାନ୍ତି ବିରୋଧୀ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ସରକାର ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ଗୋଟିଏ ପଟେ ରାଜ୍ୟରେ ଅନେକ ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ ସରି ନାହିଁ ବୋଲି ସରକାର କହୁଛନ୍ତି କିନ୍ତୁ ଅନ୍ୟପଟେ ଚାଷୀମାନେ ଫସଲ ହାନୀ ଓ ଋଣଭାର ଯୋଗୁ ଆତ୍ମହତ୍ୟା କରି ନାହାନ୍ତି ବୋଲି କୃଷିମନ୍ତ୍ରୀ ଯେଉଁ ବିତଣ୍ଡା ଯୁକ୍ତି କରିଛନ୍ତି ତାହା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି।

You might also like