ବିନା ଅନୁମତିରେ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସେପଟେ ଶିକ୍ଷକଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି ।
ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚୁକ୍ତି ନବୀକରଣ ନ କରିବାକୁ ମଧ୍ୟ ନର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଚିଠି ଲେଖି ଜଣାଇଛନ୍ତି ।
ସ୍କୁଲରେ ଶିକ୍ଷକମାନଙ୍କର ଉପସ୍ଥାପନା ଉପରେ ନଜର ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୬ତାରିଖରୁ ଯେଉଁ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ସେମାନେ ଅନୁପସ୍ଥିତ ରହିଥିବା ଦିନ ଗୁଡିକର ଦରମା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଯଦି ଚୁକ୍ତିଭିତ୍ତିକ ଶିକ୍ଷକମାନ ବିନା କାରଣରେ ବେଆଇନ ଭାବେ ଅନୁପସ୍ଥିତ ରହନ୍ତି ତେବେ ଆଗାମୀ ମାର୍ଚ୍ଚ ମାସରେ ସେମାନଙ୍କର ବାର୍ଷିକ ଚୁକ୍ତିକୁ ପୁନଃ ନବୀକରଣ କରାଯିବ ନାହିଁ । ଦରକାର ପଡିଲେ ସେମାନଙ୍କ କାର୍ଯ୍ୟରୁ ଅପସାରିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିପାରିବେ ।
ଏହାଛଡ଼ା ସ୍କୁଲ ସୁରୁଖୁରୁରେ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

You might also like