ଲୁଣ ଚିକିତ୍ସାକୁ ନେଇ ଏକାଧିକ ଭିଡିଓ ଭାଇରାଲ ନେଇ ଦ୍ୱନ୍ଦ

ସମ୍ବଲପୁର: ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକଙ୍କ ଲୁଣ ଚିକିତ୍ସା ଉପରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କର ଏକାଧିକ ଭାଇରାଲ ଭିଡିଓକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। କେଉଁ ଭିଡିଓରେ ସଲ୍‌ଟ୍‌ ଥେରାପି(ଲୁଣ ଚିକିତ୍ସା)ରେ ରୋଗୀ ଭଲ ହୋଇଥିବା ବେଳେ ଆଉ କେଉଁ ଭିଡିଓରେ ରୋଗୀର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ଭିତରେ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସୋ କଜ୍ ନୋଟିସ୍‌ରେ ଉତ୍ତର ଦେଇ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି।

ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ପରେ ବି ଭିମ୍‌ସାରରେ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। ଯେଉଁ ସଲ୍‌ଟ୍‌ ଥେରାପିକୁ ନେଇ ଏତେ ଘଟଣା ଘଟିଗଲା, ଏବେ ପୁଣି ସେହି ଚିକିତ୍ସାକୁ ନେଇ ଚର୍ଚ୍ଚା। ପୁଣିଥରେ କିଛି ଭିଡିଓ ଭାଇରାଲ ହୋଇଛି।

ଦୁଇଟି ଭିଡିଓରେ ଖୋଦ୍ ରୋଗୀମାନେ ଲୁଣ ଚିକିତ୍ସା ସପକ୍ଷରେ ଯୁକ୍ତି ବାଢୁଥିବା ବେଳେ ଗୋଟିଏ ଭିଡିଓରେ ରୋଗୀଙ୍କ ସମ୍ପର୍କୀୟ କହୁଛନ୍ତି, ଲୁଣ ଚିକିତ୍ସା ଦ୍ୱାରା ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ଭାଇରାଲ୍‌ ଭିଡିଓ ସମ୍ପର୍କରେ ପ୍ରଫେସର ପୂଜାହାରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଲୁଣ ଚିକିତ୍ସା ପରେ ଅନେକ ରୋଗୀ ସୁସ୍ଥ ହୋଇଛନ୍ତି। ଆଉ ଯେଉଁ ଭିଡିଓରେ ରୋଗୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି, ତାଙ୍କର ମୃତ୍ୟୁ ଲୁଣ ପାଇଁ ହୋଇନଥିବା ପୂଜାହାରୀ ଦାବି କରିଛନ୍ତି।

ଅନ୍ୟପଟେ ଛୁଟିରେ ପଠାଯାଇଥିବା ଅଶ୍ୱିନୀ ପୂଜାହାରୀଙ୍କୁ ତାଙ୍କ ପଦବୀରେ ପୁନଃ ଅବସ୍ଥାପିତ କରିବା ଦାବିରେ ସମ୍ବଲପୁରରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଡିସେମ୍ବର ୩୧ ସୁଦ୍ଧା ପୁନଃ ଅବସ୍ଥାପିତ କରାନଗଲେ, ଭିମ୍‌ସାର ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ପ୍ରଫେସର ପୂଜାହାରୀଙ୍କ ସପକ୍ଷରେ ଓ ବିପକ୍ଷରେ ଏସବୁ ଭିଡିଓ କିଏ ଓ କାହିଁକି ତିଆରି କରି ଭାଇରାଲ କରୁଛି, ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ, ତାହା ଜଣାପଡୁନି।

You might also like