ରହସ୍ୟ ଘେରରେ ଅଜଣା ଜନ୍ତୁ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ ହାତରେ ଠେଙ୍ଗା ଓ ନିଆଁହୁଳା ଧରି ପହରା ଦେଉଛନ୍ତି ଲୋକେ। ଅନ୍ୟପଟେ ମେଣ୍ଢା ଗୁଡ଼ିକୁ ଗୁହାଳରେ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ନରାଜ ଗୋପାଳସାହିବାସୀଙ୍କୁ ଏବେ ଘାରିଛି ଏହି ଅଜଣା ଜନ୍ତୁ ଆତଙ୍କ।

କେତେବେଳେ ଯେ ଆସି ପୁଣି ତାଙ୍କ ମେଣ୍ଢା ସବୁକୁ ଶିକାର କରିବ ତାକୁ ନେଇ ଲୋକେ ସତର୍କତା ଆପଣାଇଛନ୍ତି। କିଛି ଦିନର ବ୍ୟବଧାନରେ ଲଗାତର ଦୁଇ ଦୁଇ ଥର ମେଣ୍ଢା ଶିକାର କରିଛି ଅଜଣା ଜନ୍ତୁ।  ଏହାକୁ ନେଇ ମେଣ୍ଢା ଗୁଡ଼ିକୁ ସୁରକ୍ଷା ଦେବାକୁ ଲୋକମାନେ ପହରା ଦେଉଛନ୍ତି।

ଗୋପାଳସାହି ଗାଁରେ ଲୋକମାନେ ପହରା ଦେଉଥିବାବେଳେ ରାତି ପ୍ରାୟ ସାଢ଼େ ୧୨ରେ ପହଞ୍ଚିଥିଲା ଆମ କ୍ୟାମେରା ଟିମ୍। ଏହି ସମୟରେ ହଠାତ୍‌ କିଛି କୁକୁର ଗୋଟିଏ ଗୁହାଳ ଚାରିପଟେ ବୁଲିବାକୁ ଲାଗିଲେ। ଚାହୁଁ ଚାହୁଁ ଗୋଟିଏ କୁକୁର ଗୁହାଳ ଭିତରେ ପଶି ମେଣ୍ଢାକୁ ଆକ୍ରମଣ କରିଥିଲା। ଏହା ଦେଖି ଲୋକମାନେ କୁକୁରଟିକୁ ଧରିବାକୁ ଚେଷ୍ଟା କଲାବେଳେ କୁକୁର ପଲ ସେଠାରୁ ଖସି ଯାଇଥିଲେ। ଆକ୍ରମଣରେ ମେଣ୍ଢାଟି ସାମାନ୍ୟ ଆହତ ହୋଇଛି।

ନରାଜ ଅଞ୍ଚଳରେ ଏହି କୁକୁର ପଲ ରହୁଥିବାରୁ ଏମାନେହିଁ ମେଣ୍ଢା ଶିକାର କରୁଥିବା ଅନୁମାନ କରାଯାଉଛି। ତେବେ ସ୍ପଷ୍ଟ ପ୍ରମାଣ ନମିଳିବା ପର୍ଯ୍ୟନ୍ତ ଅଜଣା ଜନ୍ତୁ କିଏ ତାହା ରହସ୍ୟ ଘେରରେ ହିଁ ରହିଯାଇଛି।

ଅନ୍ୟପଟେ ମେଣ୍ଢାଙ୍କ ସୁରକ୍ଷା ଲାଗି ଚାଷୀଙ୍କୁ ଲାଇଟ୍‌ ଓ ଜାଲ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ମେଣ୍ଢା ଗୁଡ଼ିକୁ ଅନ୍ୟ ଗୃହପାଳିତ ପଶୁଙ୍କ ସହ ରଖିବାକୁ ସଚେତନ କରାଯାଉଛି।

(କଟକ ନରାଜରୁ ପ୍ରମୋଦ ସାମନ୍ତରାୟଙ୍କ ସହ ପ୍ରଭାତ ବିଷୋଇଙ୍କ ରିପୋର୍ଟ)

You might also like