ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ! ଚିନ୍ତାରେ ଚାଷୀ

ସୁନ୍ଦରଗଡ଼: ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ! ଜୁନ୍ ୧ରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶରୁ ଛତିଶଗଡ଼ କରେୟା ଜିଲ୍ଲା ଭରତପୁର ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇ ଗୋଟିଏ ଦିନରେ ପୁଣି ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ। ତେବେ ଏହି ପଙ୍ଗପାଳ ଦଳ ପୁଣି ଛତିଶଗଡ଼ରେ ପ୍ରବେଶ କରିଛନ୍ତି।

ଏବେ ପଙ୍ଗପାଳ ଦଳ ଛତିଶଗଡ଼ର କରେୟା ଜିଲ୍ଲା ଭରତପୁର ବ୍ଲକ୍‌ ଅନ୍ତର୍ଗତ ଡଙ୍ଗୋରିଟୋଲି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ କରେୟା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ କୀଟନାଶକ ସିଞ୍ଚନ କରାଯାଉଛି।

ବର୍ତ୍ତମାନ ଆଶଙ୍କା କରାଯାଉଛି ଯେ, ଏହି ପଙ୍ଗପାଳ ଦଳ ଯଦି ସୁନ୍ଦରଗଡ଼ ଜିଲ୍ଲା ମୁହାଁ ହୁଅନ୍ତି, ତେବେ ସ୍ଥିତି ଉଦ୍‌ବେଗଜନକ ରହିବ। କାହିଁକି ନା କରେୟା ଜିଲ୍ଲା ଠାରୁ ସୁନ୍ଦରଗଡ଼ର ଦୂରତା ମାତ୍ର ୩୨୦ କି.ମି.।  ଏହାକୁ ନେଇ ଚିନ୍ତାରେ ଓଡ଼ିଶା ଚାଷୀ।

You might also like