କାହିଁକି ଫେରିଲା କାଳିଆ ଯୋଜନା ? ଚାଷୀଙ୍କୁ ପୁଣି ମିଳିବ ଟଙ୍କା

ଭୁବନେଶ୍ୱର: ପୁଣି ଫେରିଲା କାଳିଆ ଯୋଜନା । ଏହି ଯୋଜନାରେ ପୁଣି ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ଡିବିଟି ଜରିଆରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ରାଜ୍ୟର ମୋଟ ୫୩ ଲକ୍ଷ ଚାଷୀଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ଜରିଆରେ ୧୨ଶହ ୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଠି କହିରଖିବୁ, ଚାଷୀଙ୍କୁ କୃଷି ଆନୁସଙ୍ଗିକ କାର୍ଯ୍ୟରେ ସହାୟତା କରିବା ଲାଗି ୨୦୧୯ରେ ରାଜ୍ୟରେ ପ୍ରଥମେ କାଳିଆ ଯୋଜନା ଲାଗୁ ହୋଇଥିଲା।

ଏଠି ପ୍ରଶ୍ନ, ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖରିଫରେ ୫ ଓ ରବିରେ ୫ ହଜାର ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିବା ବିଜେଡି ସରକାର କ୍ଷମତାକୁ ଆସିବା ପରେ ନିଷ୍ପତ୍ତି ବଦଳାଇ ଦେଲେ କାହିଁକି? ଏମିତିକି ଏ ଯୋଜନା ସବୁ ବର୍ଷ ଚଳାଇବାକୁ ବି ଘୋଷଣା କରିଥିଲେ । ହେଲେ ପରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ତଣ୍ଟିରେ କଣ୍ଟା ସାଜିଥିଲା।  ୩ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କଠୁ ପ୍ରାୟ ୧୭୦ କୋଟି ଟଙ୍କା ଫେରସ୍ତ ଅଣାଯିବାକୁ ନିଷ୍ପତ୍ତି ବି ହେଲା । ହେଲେ କେତେ ଟଙ୍କା ଫେରିଲା?

ସେଥିପାଇଁ ଦାୟୀ ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠନ ହେଲା । ସେ ତଥ୍ୟ ଏଯାଏଁ ଅସ୍ପଷ୍ଟ । ଖାଲି ସେତିକି ନୁହେଁ, କେନ୍ଦ୍ରର ପିଏମ୍ କିଶାନ ଯୋଜନା ସହ କାଳିଆର ମିଶ୍ରଣ ପରେ କେନ୍ଦ୍ରର ୬ ହଜାର ସହାୟତା ସହ ରାଜ୍ୟର ୪ ହଜାର କରି ପ୍ରତି ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ବି ସ୍ଥିର ହୋଇଥିଲା ।

କେନ୍ଦ୍ର ତା ଭାଗ ଦେଇ ଚାଲିଥିବାବେଳେ ରାଜ୍ୟ କିନ୍ତୁ ୟା ଭିତରେ ଟଙ୍କାଟିଏ ବି ଦେଇନି । ଏବେ ପୁଣି କାଳିଆ ଯୋଜନାରେ ସହାୟତା ପ୍ରଦାନକୁ ନେଇ ଆପତ୍ତି ଉଠାଇଛି ବିଜେପି । କହିଛି ଯଦି ରାଜ୍ୟ ପାଖରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତାହାଲେ କେନ୍ଦ୍ରକୁ ଦେଉନାହାନ୍ତି କାହିଁକି?

ପିଏମ୍ କିଶାନରେ ମାତ୍ର ୯ଲକ୍ଷ ଚାଷୀଙ୍କ ତାଲିକା ଦେଇ ବାକି ଚାଷୀଙ୍କୁ କେନ୍ଦ୍ର ସହାୟତାରୁ କାହିଁକି ବଞ୍ଚିତ କରାଯାଉଛି? କଂଗ୍ରେସ୍ ବି ଚାଷୀ ତଥ୍ୟକୁ ନେଇ ଆପତ୍ତି ଉଠାଇବା ସହ ଏହା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଥୋପ ବୋଲି କହିଛି।

ଅନ୍ୟପକ୍ଷେ ବିଜେଡି ଏହାର ଜବାବ ଦେଇ କହିଛି, ସରକାରଙ୍କ ଯୋଜନା ଥିଲା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା। ଏହି ଯୋଜନାକୁ କେନ୍ଦ୍ର ସରକାର ପରବର୍ତ୍ତୀ ଅବସ୍ଥାରେ ଫଲୋ କରିଥିଲେ। ହେଲେ ଏବେ ଏହାକୁ ନିର୍ବାଚନ ସହ ଯୋଡିବା ଅର୍ଥ ଚାଷୀଙ୍କୁ ସହାୟତା ବନ୍ଦ ପାଇଁ ଉଦ୍ୟମ କରିବା।

ଏଠି କହିରଖିବୁ, ସେପଟେ ଧାନମଣ୍ଡି ଯାତନାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ପଦ୍ମପୁର ଉପଖଣ୍ଡ ୭୦ଟି ମଣ୍ଡିରେ ପଡ଼ିଥିବା ୭ଲକ୍ଷ ପ୍ୟାକେଟ ଧାନ ଉଠାଇବା ସହ ଲାପ୍‌ସ ହୋଇଥିବା ସାଢ଼େ ୪ ହଜାର ଚାଷୀଙ୍କ ଟୋକନ ପୁନଃ କାର୍ଯ୍ୟକ୍ଷମ ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାନ ବସ୍ତା ରଖି  ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଏଠାରେ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ସମାନ ଦାବିରେ ଭଦ୍ରକ-ଆନନ୍ଦପୁର ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ ଓ ନବନିର୍ମାଣ କୃଷକ ସଂଗଠନ ସଦସ୍ୟ ।

ସେହିପରି ଆସନ୍ତା ୧୩ରେ ପଶ୍ଚିମ ଓଡ଼ିଶାରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ ଡାକରା ଦେଇଛି ବିଜେପି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୃଷି ଅଧ୍ୟାଦେଶ ବିଧାନସଭାରେ ଉପସ୍ଥାପନ ସମ୍ଭାବନାକୁ ବିରୋଧ କରି ମାର୍ଚ୍ଚ ୧ରେ ଭୁବନେଶ୍ୱରରେ ମୋଟର ସାଇକେଲ ଓ ଟ୍ରାକ୍ଟର ରାଲି ଜରିଆରେ ଚେତାବନୀ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି।

 

You might also like