ରାଜଧାନୀରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କୁ ଅଶ୍ଲୀଳ କମେଣ୍ଟ୍‌ କରୁଥିବା ଯୁବକଙ୍କୁ ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଏତଲା ଦିଆଯାଇଛି। ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ  କିଛି ସାଙ୍ଗଙ୍କ ସହ ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ଏକ ସିନେମା ହଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିବାବେଳେ ସେମାନଙ୍କ ପାଖରେ ବସିଥିବା କିଛି ଯୁବକ ମହିଳାଙ୍କୁ ନେଇ ଅଶ୍ଲୀଳ କମେଣ୍ଟ୍‌ କରିଥିଲେ।

ଏହାର ପ୍ରତିବାଦ କରିବାରୁ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ମାଡ଼ରେ ସାମ୍ବାଦିକ ଜଣକ ଦେହରେ ବିଭିନ୍ନ ଦାଗ ଦେଖିବାକୁ ମିଳିଛି। ଅନ୍ୟପଟେ, ଏହି ଘଟଣାକୁ ନେଇ ସୌମ୍ୟ ରଞ୍ଜନ ମହାପାତ୍ର ନାମକ ଯୁବକ  ସାମ୍ବାଦିକଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ଜଣକ ଅଶ୍ଲୀଳ କମେଣ୍ଟ୍‌ କରୁଥିବାରୁ ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।  ଉଭୟଙ୍କ ଅଭିଯୋଗ ଉପରେ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like