ପୁଣିଥରେ ହେଲା ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ

ପୁରୀ: ଆଜିଠାରୁ ପୁଣିଥରେ ପୁରୀରେ ହେଉଛି ସେବାୟତମାନଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡ଼ାଯାତ୍ରା ପୂର୍ବରୁ ଏବଂ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି।

ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ। ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ ସେବାୟତଙ୍କର ଏହି ଟେଷ୍ଟ କରାଯିବ। ପୁରୀ ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗେଡିଆ ଧର୍ମଶାଳା ଓ ମାର୍କେଣ୍ଡଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଟେଷ୍ଟ କରାଯାଉଛି।

ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଣ୍ଟୁଆ ସେବକ ମାନଙ୍କ କୋଭିଡ ଟେଷ୍ଟ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପୂଜାପଣ୍ଡା,ଗରାବଡୁ, ଘଟୁଆରୀ, ମେକାପ ଆଦି ଅନ୍ୟାନ୍ୟ ସେବାୟତଙ୍କ ଟେଷ୍ଟ କରାଯିବ। ଏହାପରେ ଆସନ୍ତା ୧୫ ତାରିଖରୁ ପୁରୀରେ ଆଣ୍ଟିବଡି ଟେଷ୍ଟ ବା ସେରୋଲୋଜିକାଲ୍ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

You might also like