ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ

ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ।

ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।

ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ ଗଛକୁ ଦେଖିବା ପରେ ଚାଷୀର ହୋସ୍ ଉଡ଼ିଯାଇଛି। ଉପରକୁ ଠିକ୍ ଠାକ୍ ଲାଗୁଥିବା ଧାନଗଛ ମୂଳରେ କିନ୍ତୁ ଚକଡ଼ା ପୋକ ଚରିଗଲେଣି। ବଲାଙ୍ଗୀର ସଦର ବ୍ଳକ୍ କୁଡ଼ାସିଂହା ଗାଁର କ୍ଷେତରେ ଚକଡ଼ା ଦେଖି ଚାଷୀ ଛାନିଆଁ ହୋଇଯାଇଛନ୍ତି।

ଏ ବିଷୟରେ କୃଷି ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଅଧିକାରୀ କିନ୍ତୁ ଘଟଣା ସ୍ଥଳକୁ ନ ଯାଇ ଗଛ ନେଇ ଅଫିସ୍‌କୁ ଆସିବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଚାଷୀମାନେ ଗଛ ନେଇ ଅଫିସ୍‌ ଜିବା ପରେ ଚକଡ଼ା ପୋକ ଲାଗିଥିବା କୃଷି ଅଧିକାରୀ ସ୍ୱୀକାର କରିଥିଲେ। ଏଥିସହିତ ଔଷଧ କିଣି କ୍ଷେତରେ ପକାଇବାକୁ କୃଷି ଅଧିକାରୀ ଚାଷୀଙ୍କୁ ପରାମର୍ଶ ଦେଇ ପଠାଇଦେଲେ। ଚାଷୀ ଔଷଧ ପ୍ରୟୋଗ କରୁଛନ୍ତି, ହେଲେ ଚକଡ଼ା ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢ଼ିଚାଲିଛି।

ବଲାଙ୍ଗୀର ସଦର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଚକଡ଼ା ମାଡୁଥିବା ଅଭିଯୋଗ ଆସୁଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବା ବେଳେ ଅଧିକାରୀ କି ବିଶେଷଜ୍ଞ କେହି ଏଯାଏଁ ଗ୍ରାଉଣ୍ଡରେ ପହଞ୍ଚି ନାହାନ୍ତି।

ତେବେ ଏ ବିଷୟରେ କୃଷି ଉପନିର୍ଦେଶକ କହିଛନ୍ତି, ଚକଡ଼ା ପୋକ ନେଇ ତାଙ୍କ ପାଖରେ ଖବର ଅଛି। ଖୁବ୍‌ ଶୀଘ୍ର ଏହାକୁ ଆୟତ ପାଇଁ ଯୋଜନା ହେବ।

ପ୍ରକାଶ ଥାଉକି, ଗତ ବର୍ଷ ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଳାରେ ଅଧିକାଂଶ ଧାନଚାଷ ଚକଡ଼ା ପୋକ ଲାଗି ନଷ୍ଟ ହୋଇଯାଇଥିଲା। ଚକଡ଼ା ପୋକ ଦାଉରୁ ରକ୍ଷା ପାଇବାକୁ କେତେକ ଚାଷୀ ଫଳନ୍ତି ଫସଲରେ ନିଆଁ ଲଗାଇ ଦେଇଥିଲେ। ବରଗଡ଼ ଜିଲ୍ଲାର ଚାଷୀ ବୃନ୍ଦା ସାହୁ ଚକଡ଼ା ଯୋଗୁଁ ଆତ୍ମହତ୍ୟା କରିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

 

You might also like