ପୁଣି କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

ଫୁଲବାଣୀ: ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଖବର ଆସିଛି। ଗତକାଲି ଯେଉଁ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ଆଜି ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣ ୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍‌ଟି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା। ଏଥିରେ ପାଖାପାଖି ୫୭ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି।

ଜି ଉଦୟଗିରି ଏସ୍‌ଡିପିଓ ଏ.କେ ବେହେରାଙ୍କ ସୂଚନାନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅନଭିଜ୍ଞ ଡ୍ରାଇଭର୍‌ମାନଙ୍କ ଗାଡ଼ି ଚାଳନା ପାଇଁ ଏପରି ହେଉଛି ବୋଲି ଏସ୍‌ଡିପିଓ କହିଛନ୍ତି।

ସେହିଭଳି ଆଜି ସକାଳେ ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ନାଗପୁର ଅମରାବତୀ ଏନ୍‌ଏଚ୍‌ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିଲା। ଏହି ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍‌ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳୁଛି। ଆହତମାନଙ୍କୁ ନିକଟସ୍ଥ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ NH ଉପରକୁ କୌଣସି ଜନ୍ତୁ ଆସିଯିବା ଫଳରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି।

ସେହିଭଳି ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଘାଟିରେ ପିଟି ହେଇଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରାୟ ୬୦ ଯାତ୍ରୀ ସୁରତରୁ ଗଞ୍ଜାମ ଫେରୁଥିଲେ।

 

You might also like