ମୟୂରଭଞ୍ଜ: କରୋନା କଟକଣା ସମୟରେ ପେଟ ପାଇଁ ଚିନ୍ତା। ମନରେଗା ଯୋଜନାରେ କାମ କରି ଦୀର୍ଘ ମାସ ହେଲା ଶ୍ରମିକ ପାଇପାରୁନାହାନ୍ତି ମଜୁରୀ ଟଙ୍କା। ବିଭାଗୀୟ ଅଧିକାରୀଙ୍କୁ ଏନେଇ ବାରମ୍ବାର ଗୁହାରି କରିବି ନିରାଶ ଏବେ ଶ୍ରମିକ। କେବେ ମିଳିବ ଟଙ୍କା, ସେନେଇ ବଢିବାରେ ଲାଗିଛି ଚିନ୍ତା।
ମାସେ କି ଦୁଇ ମାସ ନୁହେଁ, ଗଲା ୩ ବର୍ଷ ହେଲା ମଜୁରୀ ଟଙ୍କା ପାଇ ପାରୁନାହାନ୍ତି ଶ୍ରମିକ ଓ ହିତାଧିକାରୀ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାପଡା ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁରେ କୂଅ ଖନନ କରିବାକୁ କାର୍ଯ୍ୟାଦେଶ ପାଇଥିଲେ ହିତାଧିକାରୀ। ଏନେଇ ଧାର କରଜ କରି ବାଲି, ପଥର, ସିମେଣ୍ଟ ଆଣି କାମ ଶେଷ କଲେ। କିନ୍ତୁ ୩ ବର୍ଷ ବିତିଥିଲେ ବି ଏଯାଏ ହିତାଧିକାରୀଙ୍କୁ ମିଳୁନି ଖର୍ଚ୍ଚ ଟଙ୍କା। ଯାହାଫଳରେ ଶ୍ରମିକ ବି ପାଇପାରୁନାହାନ୍ତି ଶ୍ରମ ମୂଲ୍ୟ। ଏନେଇ ପିଇଓ କହିଛନ୍ତି, ୬ ମାସ ହେଲା ବିଲ୍ ହୋଇଛି, କିନ୍ତୁ ଟଙ୍କା ପଠାଯାଇଛି କି ନାହିଁ ସେ ଅବଗତ ନାହାନ୍ତି ।
ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ, ସୁନା ବନ୍ଧା ପକାଇ କାମ ଲାଗି ଜିନିଷ ଆଣିଲି। କାମ ସରିବାକୁ ବସିଲାଣି ହେଲେ ଶ୍ରମିକଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ଦେଇନାହିଁ। ମତେ ଟଙ୍କ ମିଳିବା ପରେ ସିନା ଶ୍ରମିକଙ୍କୁ ଟଙ୍କା ଦେବି। ଟଙ୍କା ଦେବା ଲାଗି ବିଡ଼ିଓ ଓ ପିଇଓଙ୍କୁ ବି ଅନେକ ଥର କହିଲିଣି କିନ୍ତୁ ଏଯାଏଁ ଟଙ୍କା ମିଳିନି। କେବଳ ଏମାନଙ୍କୁ ନୁହେଁ ବରଂ ସରପଂଚଙ୍କୁ ମଧ୍ୟ ଅନେକ ଥର କହିଲିଣି କିନ୍ତୁ ଟଙ୍କା ମିଳିନଥିବା ହିତାଧିକାରୀ ଜଣକ ଅଭିଯୋଗ କରିଛନ୍ତି।
ସେପଟେ ଶ୍ରମିକ କହିଛନ୍ତି ଯେ, ଆମେ ଏତେ କାମ କରିଛୁ କିନ୍ତୁ ଆମକୁ ଟଙ୍କା ମିଳୁନାହିଁ। ଆମେ କେମିତି ପରିବାର ଚଳାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ହଳଦା ଗାଁରେ ବି ସମାନ ସମସ୍ୟା ଭୋଗୁଛନ୍ତି ଶ୍ରମିକମାନେ। ମନରେଗା ଯୋଜନାରେ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨ଟି କଂକ୍ରିଟ ଡ୍ରେନ ନିର୍ମାଣ କାମ ସରିଛି। ଯେଉଁଥିରେ ୮୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। କିନ୍ତୁ କାମ ସରିବାର ୨ ମାସ ବିତିଥିଲେ ବି ମଜୁରୀ ଟଙ୍କା ମିଳିପାରୁନି। ଏନେଇ ଶ୍ରମିକମାନେ ପ୍ରଶାସନକୁ ଜଣାଇଥିଲେ ବି ଫଳ ଶୂନ ଥିବା ଅଭିଯୋଗ କରିଛନ୍ତି। ଘଟଣା ନେଇ ବିଡିଓ କହିଛନ୍ତି, ଟଙ୍କା ଆସିଲେ ଶ୍ରମିକମାନଙ୍କୁ ଦିଆଯିବ।
ଲମତାପୁଟରୁ ଜଗତ ଜୀବନ କାଚିମ୍ ଏବଂ ରାଇରଙ୍ଗପୁରରୁ ରାଜେଶ କୁମାର ଶର୍ମାଙ୍କ ରିପୋର୍ଟ