ଢେଙ୍କାନାଳ:(ରାଜଶ୍ରୀ ଶତପଥୀ)- ଦଳରୁ ଅଲଗା କରିଦେଲେ। କୁଆଡେ ଯିବ, କେଉଁଠି ରହିବ ତା’ ପାଇଁ ଥିଲା ଅନିଶ୍ଚିତ। ଏବେ ବଦଳି ଯାଇଛି ଠିକଣା। ନୂଆ ଠିକଣାରେ ମିଳିଯାଇଛି ନୂଆ ବନ୍ଧୁ। ନୂଆ ବନ୍ଧୁକୁ ପାଇ ଏବେ ସେ ଖୁବ୍ ଖୁସୀ। ଆମେ ଏଠି କହୁଛୁ କୁନି ହାତୀ ପଦ୍ମା କଥା।
ପଦ୍ମାକୁ ମିଳିଛି ଏବେ ନୂଆ ପରିବାର। ଢେଙ୍କାନାଳ କପିଳାସ ହାତୀ ଉଦ୍ୟାନ ପାଲଟିଛି ତାର ନୂଆ ଠିକଣା। ପଦ୍ମା ଏବେ ଅନ୍ୟ ବଡ଼ ହାତୀଙ୍କ ସହ ଏକାଠି ରହୁଛି, ଖାଉଛି ଏବଂ ବୁଲୁଛି ମଧ୍ୟ। ସେହିପରି ଉଦ୍ୟାନରେ ଥିବା ଅନ୍ୟ ହାତୀ ବି ପଦ୍ମାକୁ ଦଳରେ ମିଶାଇବା ପରେ ବେଶ ଖୁସ୍ ଥିବା ଦେଖିବାକୁ ମିଳିଛି।
ଦଳରୁ ଅଲଗା ହୋଇଥିଲା, ହେଲେ ନୂଆ ଠିକଣାରେ ମିଳିଲେ ନୂଆ ବନ୍ଧୁ। କୁନି ହାତୀ ପଦ୍ମାକୁ ମିଳିଛି ଏବେ ନୂଆ ପରିବାର ଅନ୍ୟ ହାତୀ ବି ପଦ୍ମାକୁ ଦଳରେ ମିଶାଇବା ପରେ ବେଶ ଖୁସ୍। ଦେଖନ୍ତୁ ରିପୋର୍ଟ। #BabyElephant #Dhenkanal #Kapilash pic.twitter.com/5rPDNPLwSQ
— ଓଟିଭି (@otvkhabar) January 6, 2021
ଅନ୍ୟ ହାତୀଙ୍କ ସହ ପଦ୍ମାର ମିଳିମିଶା ଉପରେ ନଜର ରଖାଯାଇଛି। ପଦ୍ମାର ବ୍ୟବହାର ଓ ଚଳଣୀକୁ ବି ବନ ବିଭାଗ ଟିମ୍ ତଦାରଖ କରୁଛି। ପଦ୍ମାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କିଛି ମାତ୍ରାରେ ଦୂର୍ବଳ ଥିବା ପଦ୍ମାକୁ ବିଶେଷ ଭାବେ ଖାଦ୍ୟ ଓ ରାତିରେ ଶୋଇବା ସ୍ଥାନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଗତମାସ ବ୍ରହ୍ମପୁର ସୁନାପୁର ହଦ୍ରରୁ ପଦ୍ମାକୁ ଉଦ୍ଧାର କରାଯିବା ପରେ କପିଳାସକୁ ନିଆଯାଇଥିଲା।
ସ୍ଥାନୀୟ ବନବିଭାଗର ଜଣେ ଅଫିସର କହିଛନ୍ତି, "ପଦ୍ମା ଅତି ସହଜରେ ଏଠାରେ ଥିବା ହାତୀଙ୍କ ସହ ମିଶୁଛି। କେବଳ ଯେ, ମିଶୁଛି ତାହା ନୁହେଁ ବରଂ ସେମାନଙ୍କ ସହ ବୁଲାବୁଲି ମଧ୍ୟ କରୁଛି। ମାହୁନ୍ତର ପଛେ ପଛେ ବୁଲୁଛି ଛୁଆ ହାତୀ ପଦ୍ମା। ସେଠାରେ ଥିବା ମାଈ ହାତୀ ପଦ୍ମାକୁ ପୂରା ପାଖରେ ରଖୁଛି। ଯଦି କେଉଁ ଆଡେ ପଳାଉଛି ତେବେ ତାକୁ ଟାଣି ନେଉଛି। ଦେଖିଲେ ଲାଗୁଛି ଯେମିତି ଦୁଷ୍ଟ ଛୁଆଟିକୁ ଜଗିଛି ମା’। କିନ୍ତୁ ଏ ପର୍ଯ୍ୟନ୍ତ ଛୁଆ ହାତୀଟି ଦନ୍ତା ହାତୀ ସହ ମିଶିନାହିଁ। ୧୦ କିମ୍ବା ୧୫ ଦିନରେ ସେ ସମସ୍ତଙ୍କ ସହ ମିଶିବ" ବୋଲି ଡିଏଫଓ କହିଛନ୍ତି।