ପୁଲ୍‌ୱାମା ହମ୍‌ଲା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା

ପୁରୀ: ପୁଲ୍‌ୱାମା ହମ୍‌ଲା ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ମୁଖ୍ୟତଃ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସିଂହଦ୍ୱାରକୁ ଛାଡ଼ି ଦେଲେ ଅନ୍ୟ ତିନି ଦ୍ୱାରରେ ମେଟାଲ୍ ଡିଟେକ୍ଟର ନାହିଁ। ଦକ୍ଷିଣ, ଉତ୍ତର, ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରୁଥିବା ବେଳେ ଏହା ମୁକୁଳା ହୋଇପଡ଼ିଛି। ଫଳରେ ବିନା କୌଣସି ଯାଞ୍ଚରେ ମନ୍ଦିର ଭିତରକୁ ଲୋକେ ପ୍ରବେଶ କରୁଛନ୍ତି।

ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ବିନା କୌଣସି ଯାଞ୍ଚରେ ଶ୍ରଦ୍ଧାଳୁ ମନ୍ଦିରକୁ ଯାଉଛନ୍ତି। ନା ଯାଞ୍ଚ, ନା କିଛି ତଦାରଖ। କିଏ ଆସୁଛି ତ ଆଉ କିଏ ଯାଉଛି ସେ ନେଇ ବି କିଛି ହିସାବ ରହୁନି। ଖାଲି ପଶ୍ଚିମ ଦ୍ୱାର ନୁହେଁ, ଉତ୍ତର ଓ ଦକ୍ଷିଣ ଦ୍ୱାରରେ ବି ସମାନ୍ ଅବସ୍ଥା। ନାଁ କୁ ମାତ୍ର କିଛି ସୁରକ୍ଷାକର୍ମୀଙ୍କୁ ଛାଡ଼ି ଆଉ କେହି ନାହାନ୍ତି।

କେବଳ ସିଂହଦ୍ୱାରରେ ମେଟାଲ୍ ଡିଟେକ୍ଟର ଲାଗିଛି। ଲୋକେ ବ୍ୟାରିକେଡ୍‌ରେ ଆସି ମନ୍ଦିରରେ ପ୍ରବେଶ କରୁଛନ୍ତି। ହେଲେ ଶ୍ରୀମନ୍ଦିରରେ ଯେତେ ପରିମାଣରେ ସୁରକ୍ଷା ବ୍ୟବସ୍ଥା ହେବା କଥା ତାହା ନଥିବା ଶ୍ରଦ୍ଧାଳୁ କହିଛନ୍ତି।

୨୦୧୫ ମସିହାରେ ଦକ୍ଷିଣ ଦ୍ୱାରରେ ଲାଗିଥିଲା ଏକ ଲଗେଜ୍ ସ୍କାନର, ହେଲେ ଏବେ ଏହା ନାହିଁ। ଫଳରେ ମୁକୁଳା ହୋଇପଡ଼ିଥିବା ଦ୍ୱାର ଦେଇ ଲୋକେ ଯା ଆସ କରୁଛନ୍ତି।  ଶ୍ରୀମନ୍ଦିର ମେଘନାଦ ପ୍ରାଚୀରକୁ ଲାଗି ରହିଛି ୱାଚ୍ ଟାୱର୍। କୌଣସି ସନ୍ଦିଗ୍ଧ ଗତିବିଧି ହେଲେ ତୁରନ୍ତ କାଯର୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଠା ଦୋକାନୀକୁ ପୁରୀ ପୌର ସଂସ୍ଥା ହଟାଇଛି।

ମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହୋଇଛି। ଏପରିକି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ବରିଷ୍ଠ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ପୁରୀରେ ନୂତନ ଏସ୍‌ପି ଭାବେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

You might also like