ଖବର ବାଜିଲା, ପ୍ରଶାସନ ଚେତିଲା

ତଦନ୍ତ କରୁଛି ପ୍ରଶାସନ

ବଲାଙ୍ଗୀର: ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ଗୋଟିଏ ଜୁଇରେ ଏକାଧିକ ଶବ ସତ୍କାର କରାଯାଉଥିବା ଖବର ଓଟିଭିରେ ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ବିଜାଖମନ ଠାରେ ଥିବା କୋଭିଡ ଶ୍ମଶାନକୁ ଯାଇ ତଦନ୍ତ ଆରମ୍ଭ କରିଛି DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ। ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ଲମ୍ବେଦର ଧରୁଆଙ୍କ ଉପସ୍ଥିତିରେ DLSA ର ସଂପାଦକ ଦେବାଶିଷ ଦାସ ଏବଂ ଅନ୍ୟ କର୍ମକର୍ତ୍ତା ସିଧାସଳଖ ଶ୍ମଶାନକୁ ଯାଇ ତନ୍ନତନ୍ନ ତଦନ୍ତ କରିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଲୋକଙ୍କ ଶବକୁ ସତ୍କାର କରୁଛି ପ୍ରଶାସନ। କିନ୍ତୁ ପ୍ରଶାସନର କୋଭିଡ ମଶାଣିରେ ଦରପୋଡା ଶବ ପଡିଥିବା ନେଇ ପ୍ରଥମେ ଖବର ପ୍ରସାରଣ ହୋଇଥିଲା। କୁକୁର ମଣିଷ ଖପୁରୀ ନେଉଥିବାର ଏକ୍ସକ୍ଲୁସିଭ ଖବର ପରେ ଗୋଟିଏ ଜୁଇରେ ଏକାଧିକ ଶବ ପୋଡିବା ଘଟଣାର ପର୍ଦ୍ଦାଫାସ କରିଥିଲା ଓଟିଭି। ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ ହୋଇଛି। ସେପଟେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ଜୋରସୋରରେ ସ୍ଥାୟୀ ମଶାଣି ନିର୍ମାଣ କରୁଛି।

ସେପଟେ, କରୋନା କାଳରେ ଖାଲି ମଣିଷ ନୁହେଁ, ମାନବିକତାର ବି ମୃତ୍ୟୁ ବି ହେଉଛି। ସ୍ଥିତି ଏମିତି ହେଉଛି ଯେ, ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟଙ୍କୁ ଶେଷ ବିଦାୟ ଜଣାଇବାକୁ ବି ଯାଉନାହାଁନ୍ତି ପ୍ରିୟ ପରିଜନ। ଏଭଳି ସ୍ଥିତିରେ ମଣିଷର ଶେଷ ଠିକଣା ଶ୍ମଶାନରେ ସ୍ୱେଚ୍ଛାକୃତ ଭାବେ ଦାହ ସଂସ୍କାର କରୁଛନ୍ତି ମଶାଣୀ ବନ୍ଧୁ। ହେଲେ କଥା ଏଇଠି ଅଟିକିନି, ହିନ୍ଦୁମାନଙ୍କ ପରଂପରା ଅନୁଯାୟୀ ଅସ୍ଥି ବିସର୍ଜନ ହେବା କଥା, କିନ୍ତୁ ଭୟ କରୁଛନ୍ତି ଜ୍ଞାତି କୁଟୁମ୍ବ। ଫଳରେ ଶ୍ମଶାନରେ ଅସ୍ଥି ସବୁ ଜମା ହୋଇରହୁଛି।

ମଶାଣି କହୁଛି ଦୟନୀୟ କାହାଣୀ। ଶୁଭୁଛି ରାମ ନାମ ସତ୍ୟ ହୈର ଶେଷ ଉଚ୍ଚାରଣ, ଜଳୁଛି ଜଣଙ୍କ ପରେ ଜଣଙ୍କ ଚିତା। ଗୋଟିଏ ଚିତା ନଲିଭୁଣୁ ପହଞ୍ଚି ଯାଉଛି ଆଉ ଏକ ମୃତଦେହ। ପଞ୍ଚ ଭୂତରେ ବିଲୀନ ହେବା ପାଇଁ ଶବ ସବୁକୁ ପହଞ୍ଚାଯାଉଛିି ଆମ୍ବୁଲାନ୍ସରେ। ଶେଷ ସତ୍କାର ପାଇଁ ଅହରହ ଲାଗପଡ଼ିଛନ୍ତି ମଶାଣୀ ବନ୍ଧୁ। ଏମିତି କିଛି ଚିତ୍ର ସୁନ୍ଦରଗଡ଼ ରାଣୀବଗିଚା ମଶାଣିରେ ଦେଖିବାକୁ ମିଳିଛି। ଜାରି ରହିଥିବା କରୋନାର ଦ୍ୱିତୀୟ ଲହର ବେଳେ ଏଭଳି କରୁଣ ଦୃଶ୍ୟ ଦୋହଲାଇ ଦେଉଛି ସମସ୍ତଙ୍କୁ।

ସେପଟେ, ଆଜି ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।  ଅନ୍ୟପକ୍ଷେ  ରାଜ୍ୟରୁ ୨୪ ଘଣ୍ଟାରେ  ୪୦ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୯୫୨କୁ ବୃଦ୍ଧି ପାଇଛି।

You might also like