ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ହେଲା

ହରିଲୁଟ୍‌ର ଫର୍ଦ୍ଦାଫାସ୍‌

କଟକ: କରୋନା ସଂକ୍ରମଣ ବେଳେ ପିଡିଏସ୍ ସାମଗ୍ରୀ ହରିଲୁଟ ଖବର ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକରେ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ଓଜନର ପିଡିଏସ୍ ସାମଗ୍ରୀ ବଦଳରେ କମ୍ ଓଜନର ସାମଗ୍ରୀ ଦିଆଯାଉଥିବା ଖବର ପ୍ରସାରିତ ହୋଇଥିଲା। ଏହାକୁ ଆଧାର କରି ଏହାର ତଦନ୍ତ କରାଯାଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଚିଫ୍ ସିଏସ୍ଓ ଏବଂ MI ଏହି ଘଟଣାର ତଦନ୍ତ କରିବା ବେଳେ କହ୍ନେୟାପୁର ଗ୍ରାମପଞ୍ଚାୟତ ବରପଦାର ଡିଲର ବି.ଡି.ରାଉତ ପିଡିଏସ୍ ସାମଗ୍ରୀ ବଣ୍ଟନରେ ହେରଫେର କରିଥିବା ଜଣାପଡ଼ିଛି। ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଉପଜିଲ୍ଲାପାଳଙ୍କୁ କୁହାଯାଇଥିବା ମନ୍ତ୍ରୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପିଡିଏସ୍ ସାମଗ୍ରୀ ବାଟମାରଣା ଅଭିଯୋଗ ହୋଇଥିଲା। କଟକ ଚୌଦ୍ୱାର ବ୍ଲକରେ ଦିଆଯାଉଥିବା ପିଡିଏସ୍ ସାମଗ୍ରୀରେ ହରିଲୁଟ୍ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ମୁଣ୍ଡପିଛା ୫ କିଲୋ ଚାଉଳ, ଗହମ ଓ କିରୋସିନିକୁ ଡିଲର ପିଡିଏସ ଖାତାରେ ପକାଇ, ସେଥିରୁ ଓଜନରେ କମ ପରିମାଣର ସାମଗ୍ରୀ ଦେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଆଉ ପ୍ରତିବାଦ କଲେ ଡିଲର ଦୁର୍ବବ୍ୟହାର କରୁଥିବା ବି ଅଭିଯୋଗ ହୋଇଥିଲା।

କରୋନା ଦାଉ ଏବଂ ଲକଡାଉନ୍‌ ଯୋଗୁଁ ଗରିବ ଖଟିଖିଆଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ବେଳେ ମାଗଣା ରାସନ ସାମଗ୍ରୀରେ ବାଟମାରଣା ଚିନ୍ତାକୁ ଦ୍ୱିଗୁଣିତ କରିଥିଲା। ଝାଟି ମାଟି, ଚାଳ ଏବଂ ଜରି ଛପର ଘରେ ଚଳୁଥିବା ଟାଙ୍ଗିର ଏହି ଗରିବ ପରିବାର ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛଥିଲେ। ଏମାନଙ୍କ ମଧ୍ୟରୁ କିଏ ଉଠାଦୋକାନ ତ କିଏ ଛୋଟ ମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ଲକଡାଉନ୍‌ ପାଇଁ ସବୁ କିଠି ଠପ୍ ହୋଇଯାଇଛି। ଗୋଟେ ପଟେ ବେପାର ଶୂନ ଅନ୍ୟପଟେ ପିଡିଏସ୍ ସାମଗ୍ରୀରେ ବାଟମାରଣା ହେଉଛି। କୋଭିଡ୍ ଲକଡାଉନ୍ ସମୟରେ ସରକାର ୨ ମାସର ମାଗଣା ରାସନ ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଣ୍ଡପିଛା ୫କେଜି ଚାଉଳ, ଗହମ ଏବଂ କିରୋସିନ୍ ବ୍ୟବସ୍ଥା କଲେ ତେବେ ସେହି ସାମଗ୍ରୀକୁ ଡିଲର ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।

ଡିଲରଙ୍କ ମନମାନି ନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜଣାଯାଇଛି। ହେଲେ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଥିଲେ। କେବଳ ଟାଙ୍ଗୀ ନୁହେଁ ଚୌଦ୍ୱାର ପୌରାଞ୍ଚଳର ୬ନମ୍ବର ଓ୍ୱାର୍ଡରେ ମଧ୍ୟ ସମାନ ଘଟଣା ଘଟିଛି। ଏନେଇ ହିତାଧିକାରୀ ମାନେ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।ତେବେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

You might also like