ଲକ୍‌ଡାଉନ୍‌ ଯୋଗୁ ରିୟଲ-ଇଷ୍ଟେଟ୍‌ କାମ ଅଚଳ: ପୁଣି ଆରମ୍ଭ ହେଲେ ଏହିସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ

ଭୁବନେଶ୍ୱର: ଅର୍ଥନୀତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ରିୟଲ-ଇଷ୍ଟେଟ୍‌କୁ କରୋନା ଝଟ୍‌କା ଲାଗିଛି। ମାସେରୁ ଅଧିକ ସମୟ ହେଲା ବେପାର ପୂରା ଅଚଳ ହୋଇଯାଇଛି। ଖାଲି ଘର କିଣାବିକା ନୁହେଁ, ନିର୍ମାଣ କାମ ବି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି।

ଏଣେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି କ୍ଷେତ୍ରରେ ନିୟୋଜିତ ହଜାର ହଜାର ଶ୍ରମିକଙ୍କ ଭାଗ୍ୟ। ଖାସ୍ କରି ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କ ସ୍ଥିତି ଦୟନୀୟ ରହିଛି। ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇ ଦେବା ପାଇଁ ଶ୍ରମିକମାନେ ଅପିଲ କରିଛନ୍ତି।

ତେବେ ସରକାର ଅନୁମତି ଦେବା ପରେ ଆରମ୍ଭ ହୋଇଛି ଘର ନିର୍ମାଣ କାମ। ତେବେ ପୂର୍ବଭଳି ନ ହୋଇ କାଁଭାଁ ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି।

ବଡ଼ ବଡ଼ ବିଲଡିଂଗୁଡ଼ିକର କାମ ଯେଉଁଠି ଯେମିତି ଅଟକି ଥିଲା, ସେମିତି ଅଟକି ରହିଛି। ଶ୍ରମିକ ନାହାନ୍ତି କି କଟକଣା ସଂପୂର୍ଣ୍ଣ ହଟିନଥିବାରୁ କାମ ଆରମ୍ଭ ହୋଇପାରିନି।

ଏଣେ ମାସେରୁ ଅଧିକ ସମୟ ଧରି ବିନା କାମରେ ବସିଥିବା ଶ୍ରମିକଙ୍କ ହାତ ଖାଲି। କେବେ ଖୋଲିବ ଲକ୍‌ଡାଉନ, କେବେ ସ୍ୱାଭାବିକ ହେବ ସ୍ଥିତି, ତାକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି ଶ୍ରମିକ। ଏପଟେ ବାହାରୁ ରାଜ୍ୟରୁ ଆସି ଭୁବନେଶ୍ୱର ଓ କଟକ ଆଦି ସହରରେ କାମ କରୁଥିବା ଶ୍ରମିକଙ୍କ ଦୁଃଖ ଅବର୍ଣ୍ଣନୀୟ। କେମିତି ବି ହେଉ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇ ଦେବା ଲାଗି ଶ୍ରମିକମାନେ ସରକାରଙ୍କୁ ମିନତି କରିଛନ୍ତି।

ନିର୍ମାଣ କାମ ଆରମ୍ଭ ଲାଗି ସରକାର ଅନୁମତି ଦେଇଥିବାରୁ ବିଲ୍‌ଡରମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ହେଲେ ସ୍ଥିତି କେବେ ସ୍ୱାଭାବିକ ହେବ ତାକୁ ନେଇ ମନରେ ସନ୍ଦେହ ରହିଛି। କାରଣ ଉଭୟ ନିର୍ମାଣ ଓ ବିକ୍ରି ଦୃଷ୍ଟିରୁ ମାଲିକମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ।

ପ୍ରଥମତଃ ଆଗକୁ ଶ୍ରମିକ ଅଭାବ ସ୍ଥିତି ସୃଷ୍ଟି ହେବ। ବହୁ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିବା ବେଳେ ଅନେକ ନିଜ ନିଜ ଗାଁକୁ ପଳାଇଛନ୍ତି।

ସେମାନେ କେବେ ଫେରିବେ ସ୍ଥିର ନଥିବାରୁ ପର୍ଯ୍ୟାପ୍ତ ଶ୍ରମିକ ମିଳିବା ନେଇ ସନ୍ଦେହ ଦେଖାଦେଇଛି। ତା’ସାଙ୍ଗକୁ ଇଟା, ସିମେଣ୍ଟ ସମେତ ଅନ୍ୟ ନିର୍ମାଣ ସାମଗ୍ରୀ ଯୋଗାଣ ସ୍ୱାଭାବିକ ନହେବା ଯାଏଁ ପୂରା ଦମ୍‌ରେ କାମ ଆରମ୍ଭ କରିହେବନି। ତାସହିତ ସରକାର ନିର୍ଦ୍ଧାରଣ କରିଥିବା ସାମାଜିକ ଦୂରତ୍ୱ ଗାଇଡ୍‌ଲାଇନର ଅନୁପାଳନ କରି କାମ କରାଇବା ସେତେ ସହଜ ହେବ ନାହିଁ। ଅନ୍ୟପକ୍ଷରେ କରୋନା ଲକ୍‌ଡାଉନ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାରୁ ଆଗାମୀ ଦିନରେ ଘର କିଣାବିକା ଉପରେ ବି ଏହାର ପ୍ରତିକୁଳ ପ୍ରଭାବ ପଡ଼ିବ ବୋଲି ରିୟଲ ଇଷ୍ଟେଟ୍ ମାଲିକମାନେ କହିଛନ୍ତି।

ତେଣୁ ନିର୍ମାଣ କାମ ସାରିବା ଲାଗି ନିର୍ଦ୍ଧାରିତ ସମୟ ଅବଧି ବଢାଇବା, ରେରାରେ ପଡ଼ି ରହିଥିବା ଫାଇଲଗୁଡ଼ିକ ତୁରନ୍ତ ପାସ୍ କରାଇବା ଏବଂ ଋଣ ବାବଦ କିସ୍ତୀ ଓ ଅନ୍ୟ ସରକାରୀ ଦେୟ ପରିମାଣକୁ ସାମୟିକ ହ୍ରାସ କରିବାକୁ ସେମାନେ ଦାବି କରିଛନ୍ତି।

ତିନି ତାରିଖ ପରେ ଯଦି ଲକ୍‌ଡାଉନ କଟକଣା କୋହଳ ହୁଏ, ତେବେ ନିର୍ମାଣ କାମ ତ୍ୱରାନ୍ୱିତ ହେବାର ସମ୍ଭାବନା ରହିଛି। ଫଳରେ ମୂଲିଆ, ରାଜମିସ୍ତ୍ରୀ, ରଙ୍ଗ କାରିଗର, ବଢେଇ, ପାଇପ୍, ମାର୍ବଲ, ଟାଇଲ କାମ କରୁଥିବା ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତୀ ମିଳିପାରିବ।

 

You might also like