ଭଉଣୀ ବାହାଘର ଭୋଜି ଖାଇ ଭାଇ ମୃତ

ଗୁରୁତର ୧୧ କଟକ ବଡ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ଭଉଣୀ ବାହାଘର ଭୋଜି ଖାଇ ଆଖି ବୁଜିଲା ଭାଇ । ତାଙ୍କ ଛଡ଼ା ଆଉ ୧୧ ଜଣ ଗୁରୁତର ହୋଇ ପଡିଛନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁରେ ଘଟିଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଛି ।

ବାହାଘର ଲାଗି ଦିନକ ପୂର୍ବରୁ ମାନସଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିବା ସହ ଭୋଜିଭାତରେ ସାହି ଭାଇ ଆପାୟିତ ହୋଇଥିଲେ। ହେଲେ ବିଧିର ବିଧାନ ଅଲଗା। ଯେଉଁ ଘର କାଲି ହସଖୁସିରେ ଫାଟି ପଡୁଥିଲା, ଆଜି ସେହି ଘରେ ଶୋକର ଛାୟା ଖେଳି ଯାଇଛି। ଭଉଣୀ ବାପଘରୁ ବିଦା ହୋଇ ଶାଶୁ ଘରକୁ ଯିବା ପୂର୍ବରୁ ଆର ପାରିକୁ ଚାଲିଗଲା ଭାଇ।
ଗତକାଲି ରାତିରେ ମାନସଙ୍କ ଭଉଣୀ ବାହାଘର ଥିଲା। ବାହାଘର ଦେଖିବା ସହ ଭୋଜି ଖାଇବା ଲାଗି ଭିଡ଼ ମଧ୍ୟ ଜମିଥିଲା।

ହେଲେ ଭୋଜି ଖାଇ ମାନସଙ୍କ ସମେତ ୧୧ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଥିଲେ ମାନସ ନାଏକ। ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

You might also like