• translate
Sarbeswar

ଭୁବନେଶ୍ୱର: ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି। ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଥିବା ନେଇ ମିଳିଛି ସୂଚନା। ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି। ନୀତି ଆରମ୍ଭ ହୋଇଥିବା ନେଇ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି। ଆସନ୍ତାକାଲି ଠିକ୍ ସମୟରେ ଜାଗର ମହାଦୀପ ଉଠିବ ବୋଲି ମଧ୍ୟ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ପତି।

ଲିଙ୍ଗରାଜ ମନ୍ଦିରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ହାଣ୍ଡିଭଂଗା ଯାତ୍ରା ସୁରୁଖୁରୁରେ ହେବ ବୋଲି ଜଣାପଡିଛି। ସେଥିପାଇଁ ୧୦ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତ୍ତର କମିଶନ। ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବାର ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ କାଲି ମନ୍ଦିର ପରିସରରେ କୋଭିଡ଼ କଟକଣା ମାନି ଦୀପ ଜାଳିପାରିବେ ଭକ୍ତ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡ଼ିରେ ଦର୍ଶନ କରିପାରିବେ ଭକ୍ତ। ଆଜି କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା।

ସେପଟେ କରୋନାକୁ ଦୃଷ୍ଟିରେ ରଖି ମହାଶିବରାତ୍ରୀ ଲାଗି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଅନ୍ୟପକ୍ଷେ, ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ମନ୍ଦିର ବାହାରେ ୨ ଶହ ମିଟର ଯାଏ ଲମ୍ବା ବ୍ୟାରିକେଡ୍, ଭିତରେ ଭକ୍ତଙ୍କ ଭିଡ଼ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି। ଗତକାଲିଠାରୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି। ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ୍‌ କରାଯିବ। ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୋଲିସ୍‌ ଅଧିକାରୀଙ୍କର ବି କୋଭିଡ୍ ଟେଷ୍ଟ ହେବ।

ତେବେ ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଦୀପ ଜାଳନ୍ତି। କିନ୍ତୁ କରୋନା ପାଇଁ ଚଳିତଥର ଭକ୍ତଙ୍କୁ ଏକାଠି ହେବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ କରୋନା କଟକଣା ମାନି ଭକ୍ତମାନେ ପୂଜାର୍ଚ୍ଚନା କରିପାରିବେ ବୋଲି ଜଣାଯାଇଛି। ପ୍ରଶାସନର ଆଲୋଚନା ପରେ ଆସନ୍ତାକାଲି ସଠିକ ସମୟରେ ସମସ୍ତ ନୀତିକାନ୍ତି ହେବ ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି।

 

Other Stories