ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା ରଖିଥିଲେ ଡି. ପ୍ରକାଶ ରାଓ
କଟକ: ପରିପାରିରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, କଟକ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି.ପ୍ରକାଶ। କରୋନାରେ ଆକ୍ରାନ୍ତ ହେବା ପରେ ପାଖାପାଖି ଗତ ୨୦ ଦିନ ହେଲାଣି ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ତାଙ୍କର ବିୟୋଗ ଖବର ପାଇବା ମାତ୍ରେ ରାଜ୍ୟରେ ଦୁଃଖର ଲହରୀ ଖେଳିଯାଇଛି।
ନିଜର ମାନବସେବାର ମନୋଭାବ ଓ କାର୍ଯ୍ୟଶୈଳୀ ପାଇଁ ସାରା ଦେଶର ଆଜି ତାଙ୍କୁ ଝୁରୁଛି। ବଞ୍ଚିଥିବା ସମୟରେ ମୃତ୍ୟୁପରେ ନିଜ ଶରୀରକୁ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ ସେ। ତେବେ ତାଙ୍କର ଏପରି କଥାକୁ ତାଙ୍କୁ ଆହୁରି ବେଶ ପରିଚିତ କରାଇପାରିଥିଲା। କାରଣ ପିଲାଙ୍କ ପାଠ ପଢା ଲାଗି ସେ ନିଜ ଶରୀରକୁ ଦାନ କରିବାକୁ ଚାହିଁଥିଲେ।
କେବଳ ଏତିକି ନୁହେଁ ବରଂ ନିଜର ମହାନ କାମ ଲାଗି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ କଟକସ୍ଥିତ ବକ୍ସି ବଜାରରେ ଥିବା ନିଜର ଚା’ ଦୋକାନରେ ବ୍ୟବସାୟ ସାରି କଟକ ଏସସିବି ମେଡିକାଲ କଲେଜରେ ପହଞ୍ଚନ୍ତି ପ୍ରକାଶ ରାଓ। ଆଉ ଏହାପରେ ଆରମ୍ଭ ହୋଇଯାଏ ଅଚିହ୍ନା ଲୋକଙ୍କ ସେବା। ନିଜର ସାମର୍ଥ୍ୟଓ ସକ୍ଷମ ଅନୁସାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ପ୍ରକାଶ। ଏ ପର୍ଯ୍ୟନ୍ତ ପାଖାପାଖି ୨୧୭ ଥର ରକ୍ତଦାନ କରିସାରିଛନ୍ତି ଡି. ପ୍ରକାଶ ରାଓ।
“ଆଶା ଆଶ୍ୱାସନା ଗୃହ” ନାମରେ ସ୍କୁଲ ଟି ବେଶ ପରିଚିତ ହୋଇପାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚା’ ଦୋକାନରୁ ଯେତିକି ଟଙ୍କା ମିଳେ ସେହି ଟଙ୍କାରେ ହିଁ ସ୍କୁଲକୁ ପରିଚାଳନା କରାଯାଏ। ଟଙ୍କାର ଅଭାବ ପରେ ବି ଦିନେ ଜୀବନ ଯୁଦ୍ଧର ସଂଗ୍ରାମରେ ହାର ମାନିନାହାନ୍ତି। ନିଜ ତୁଣ୍ଡ ଝାଳକୁ ମୁଣ୍ଡରେ ମାରି ନିଜ ହାତରେ ଗଢି ତୋଳିଥିବା ସୁନ୍ଦର ସ୍କୁଲ କେମିତି ସଠିକ ଭାବରେ ପରିଚାଳନା ହେବ ସେନେଇ ସବୁବେଳେ ଚିନ୍ତା ଥାଏ ପ୍ରକାଶଙ୍କର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ମେ ୨୭ ତାରିଖର ‘ମନକି ବାତ୍’ କାର୍ଯ୍ୟକ୍ରମରେ ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିଥିଲେ। ପ୍ରକାଶ ନିଜ ଆୟର ୫୦% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି। ପ୍ରକାଶଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମନ୍ କି ବାତ୍ରେ କହିଥିଲେ ମୋଦି।
ଏହାପରେ ଲୋକଲୋଚନକୁ ଆସିଥିଲେ ଡି. ପ୍ରକାଶ ରାଓ। ସେହିପରି ୨୦୧୮ରେ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆସି ପ୍ରକାଶ ରାଓଙ୍କୁ ଭେଟିଥିଲେ। ତାଙ୍କ ସହିତ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଯାହା ସେହି ସମୟରେ ବେଶ ଚର୍ଚ୍ଚାରେ ରହିଥିଲା। ତେବେ ୬୨ ବର୍ଷ ବୟସରେ ବ୍ରେନ ଷ୍ଟ୍ରୋକରେ ପ୍ରକାଶ ରାଓଙ୍କ ପରଲୋକ ହୋଇଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି।