ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ ! କୃଷକମାନଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: କରୋନା ସଙ୍କଟ ଦେଇ ରାଜ୍ୟ ଏବେ ଗତି କରୁଛି। ନିକଟରେ ବାତ୍ୟା ଅମ୍ପନ୍‌ ଆସି ଏହି ସଙ୍କଟକୁ ଆହୁରି ଦ୍ୱିଗୁଣିତ କରି ଦେଇଥିଲା। ଏସବୁ ଭିତରେ ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ। ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ। ବିଶେଷ କରି କୃଷକମାନଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି।

ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ OUAT ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଏନେଇ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। କେମିତି ଏହି ସମସ୍ୟାରୁ ଫସଲକୁ ରକ୍ଷା କରାଯାଇ ପାରିବ, ତା’ ସହିତ ଖରିଫ ଫସଲ ପାଇଁ ବିହନ ଓ ସାର ଯୋଗାଣ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ପଙ୍ଗପାଳ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବାଲାଗି ଏହିସବୁ ପରାମର୍ଶ ଅବଲମ୍ବନ କରନ୍ତୁ…

ପଙ୍ଗପାଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଲେଣି। ସେମାନେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ଫସଲକୁ ରକ୍ଷା ଲାଗି ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରବେଳା ସିଞ୍ଚନ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

  • ବଜାରରେ ମିଳୁଥିବା ୩ଶହ ପିପିଏମ୍‌ର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ୧ ଲିଟର ହିସାବରେ ୨ଶହ ଲିଟର ପାଣି ସହିତ ମିଶାଇ ଉପରବେଳା ସିଞ୍ଚନ କରାଯାଇପାରିବ।
  • ପଙ୍ଗପାଳ ଆସିଲେ, ସେମାନଙ୍କୁ ଟିଣ ବାଡେଇ, କଣ୍ଟାଯୁକ୍ତ ଡାଳରେ ପିଟି ଘଉଡାଇବା ବ୍ୟବସ୍ଥା କରିପାରିବେ ଏଭଳି ଅନେକ ପରାମର୍ଶ ଚାଷୀମାନଙ୍କୁ ଦିଆଯାଇଛି।

ତେବେ ଚାଷୀମାନେ ଡରିବାର କିଛି ନାହିଁ। ଫସଲରେ ନିମ ତେଲ ବ୍ୟବହାର କଲେ ଏହି ସମସ୍ୟାରୁ ମୁକୁଳି ହେବ ବୋଲି  ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ପରାମର୍ଶ ଦେଇଛନ୍ତି।

You might also like