ଧାନ ପରେ କପା ଚାଷକୁ ନେଇ ଚିନ୍ତାରେ ଚାଷୀ

କଳାହାଣ୍ଡି: ଧାନ ପରେ କପା ଚାଷରେ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ପାଗ ଅନୁକୂଳ ନଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର କପା ଚାଷ ପ୍ରଭାବିତ ହୋଇଛି। ଏହାସହ ମଣ୍ଡିର ମଧ୍ୟ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। କପା ବିକ୍ରି ପାଇଁ ମଣ୍ଡି ଖୋଲିବା ଲାଗି ଚାଷୀ ଦାବି କରିଛନ୍ତି।

ଏକର ଏକର ଜମିରେ କପା ଚାଷ ହୋଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏବର୍ଷ କପା ଚାଷ କରି ଚିନ୍ତାରେ ପଡିଛନ୍ତି ଚାଷୀ। ଗଛରେ ଯେତିକି ଫଳ ଆସିବା କଥା ସେତିକି ଆସିନି। ଏଠାରେ ଚାଷୀ ପ୍ରତି ବର୍ଷ ୧୦ରୁ ୧୩ କ୍ୱିଣ୍ଟାଲ କପା ଅମଳ କରୁଥିବା ବେଳେ ଚଳିତ ବର୍ଷ କେବଳ ୬ରୁ ୭ କ୍ୱିଣ୍ଟାଲ କପା ହୋଇଛି।

ପୂର୍ବରୁ ଚାଷୀ ଧାନ ଚାଷରେ ବହୁ କ୍ଷତି ସହିଛନ୍ତି। ତେବେ କପା ଚାଷ କରି ଭଲ ଦୁଇ ପଇସା କମାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ସେଇଟା ବି ସେମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।

ଯେତକି କପା ଅମଳ ହୋଇଛି ତାକୁ ଠିକ୍ ମୂଲ୍ୟରେ ବିକ୍ରି କରିବା ପାଇଁ ଚାଷୀ ଚିନ୍ତା କରୁଥିବା ବେଳେ ମଣ୍ଡିର ବ୍ୟବସ୍ଥା ନାହିଁ। ଫଳରେ କମ୍ ଦାମରେ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି। ଏନେଇ ଜୁନାଗଡ଼ RMC ପକ୍ଷରୁ ବୈଠକ ହୋଇଥିବା ବେଳେ ଚଳିତ ବର୍ଷ କପା ଚାଷ ଭଲ ହୋଇଥିବା ଉପ ଜିଲ୍ଲାପାଳ କହିଛନ୍ତି।

You might also like