ଖୋର୍ଦ୍ଧା ପରେ ଆଉ ୨ ଜିଲ୍ଲାରେ ନିଦ ହଜାଇଲା ‘କରୋନା’

ଭୁବନେଶ୍ୱର: ରାଜ୍ୟରେ ଥମିଯାଇଥିବା କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଚିହ୍ନଟ ପରେ ୭୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସକାଳେ ୭, ଅପରାହ୍ନରେ ୬  ଗୋଟିଏ ଦିନରେ ରାଜ୍ୟରୁ ୧୩ ନୂଆ କରୋନା ରୋଗୀ ଚିହ୍ନଟର ଖବର। ଏବେ ନିଦ ହଜାଇଲାଣି ଭଦ୍ରକ ଓ ଯାଜପୁରରେ ସଂକ୍ରମଣର ସ୍ଥିତି। ଭଦ୍ରକରେ ୩ ଆକ୍ରାନ୍ତ ଚିହ୍ନଟ ହେବାର ପାଖାପାଖି ୧୬ ଦିନ ପରେ ଆଜି ଆଉ ୫ ଜଣଙ୍କ ଠାରେ ଠାବ ହୋଇଛି ମହାମାରୀର ଭୁତାଣୁ।

ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ଯାଜପୁରରେ ଆଉ ୫ ଜଣଙ୍କ ଠାରେ ଭୁତାଣୁ ଚିହ୍ନଟ ପରେ ୭ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ବାଲେଶ୍ୱରରେ ଦୁଇ ଏବଂ ସୁନ୍ଦରଗଡ଼ରେ ଆଉ ଗୋଟିଏ ନୂଆ ଆକ୍ରାନ୍ତଙ୍କ ସହ ଏ ଦୁଇ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି। ଯାଜପୁରର ନୂଆ ୫ ପଜିଟିଭ୍ ମଧ୍ୟରୁ ଯାଜପୁର ବ୍ଲକରୁ ୩ ଜଣ, କୋରେଇ ବ୍ଲକରୁ ଜଣେ ଓ ଦଶରଥପୁରରୁ ଜଣେ ଅଛନ୍ତି।

ସେହିପରି ଭଦ୍ରକରୁ ଚିହ୍ନଟ ଆକ୍ରନ୍ତଙ୍କ ମଧ୍ୟରୁ ୩ ଜଣ ବାସୁଦେବପୁର ଅଞ୍ଚଳର ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଭଣ୍ଡାରୀପୋଖରୀ ଅଞ୍ଚଳର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଜିଲ୍ଲାର ୫ଟି ପଞ୍ଚାୟତ ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାସପୁର, ରହାଣିଆ ଓ ତେସିଙ୍ଗା ପଞ୍ଚାୟତକୁ ସଂପୂର୍ଣ୍ଣ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେପଟେ ବାଲେଶ୍ୱରରୁ ଚିହ୍ନଟ ଦୁଇ ଜଣଙ୍କ ମଧ୍ୟରେ ଅଛି ଜଣେ ଦୁଇ ବର୍ଷର ଶିଶୁକନ୍ୟା।

ସେହିପରି ସୁନ୍ଦରଗଡ଼ରୁ ଚିହ୍ନଟ ବ୍ୟକ୍ତି ଜଣଙ୍କ ବିଶ୍ରା ଅଞ୍ଚଳର ଏବଂ ସେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କୁ ଚିହ୍ନଟ ପୂର୍ବରୁ ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୪୮ ଘଣ୍ଟା ବଢ଼ାଇ ଦିଆଯାଇଥିଲା।

You might also like