ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା ପରେ କଡ଼ାକଡ଼ି ପାଳନ ହେବ ଏସ୍ଓପି

ବିଧାୟକଙ୍କ ହତ୍ୟା ପରେ ତେଜୁଛି ଜନ ଅସନ୍ତୋଷ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆର୍କୁ ନିର୍ବାଚନମଣ୍ଡଳୀର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୁମା ହତ୍ୟାକାଣ୍ଡକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ହତ୍ୟାକାଣ୍ଡର ପ୍ରତିବାଦରେ ସମର୍ଥକମାନେ ଡୁମୁରିଗୁଡ଼ା ଥାନା ଏବଂ ତହସିଲ ଅଫିସରେ ନିଆଁ ଲଗାଇବା ପରେ ଆଜି ବି ଚାପା ଉତ୍ତେଜନା ଲାଗିରହିଛି।

ପୁଲିସ୍‌ ପ୍ରଶାସନର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରି ବିଧାୟକଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବାରୁ ଡୁମୁରିଗୁଡ଼ା ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହିତ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ତେବେ ଏହି ହତ୍ୟା ଘଟଣା ପରେ ଓଡ଼ିଶାରେ ଜନପ୍ରତିନିଧିଙ୍କ ଗତିବିଧି ସମୟରେ ଏସ୍ଓପି ଆହୁରି କଡ଼ାକଡ଼ି ପାଳନ କରାଯିବ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇ ଡିଜିପି ଆର୍.ପି ଶର୍ମା କହିଛନ୍ତି।

ଜନପ୍ରତିନିଧିଙ୍କ ଗସ୍ତ ସମ୍ପର୍କରେ ସେମାନଙ୍କ ପାଇଁ ନିଯୁକ୍ତ SPO ମାନେ କଡ଼ା ସତର୍କତା ଅବଲମ୍ବନ କରିବେ। ଗସ୍ତ ପୂର୍ବରୁ ଜିଲ୍ଲା ପୁଲିସ୍‌ ହେଡ଼କ୍ୱାର୍ଟର କିମ୍ବା ଏସ୍.ପିଙ୍କୁ ଜନପ୍ରତିନିଧିମାନେ ଯେପରି ଆଗୁଆ ଅବଗତ କରିବେ,  ତା’ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଡିଜିପି କହିଛନ୍ତି।

ଏହାସହ ୨ ଜନପ୍ରତିନିଧିଙ୍କୁ ହତ୍ୟା ପରେ ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ସହ ସେ କଥା ହୋଇଥିବା ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସ୍‌ ପକ୍ଷରୁ ଆନ୍ଧ୍ରପ୍ରଦେଶ ପୁଲିସ୍‌କୁ ଆବଶ୍ୟକତା ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ଡିଜିପି କହିଛନ୍ତି।

ଅନ୍ୟପଟେ ନିହତ ସର୍ବେଶ୍ୱର ରାଓ ଏବଂ ଶିବେରୀ ସୁମାଙ୍କ ମୃତଦେହର ବ୍ୟବଛେଦ ପରେ ଆଜି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାନୁସାରେ ପାଡେରୁରେ ସର୍ବେଶ୍ୱରଙ୍କର ଏବଂ ଆର୍କୁରେ ଶିବେରୀଙ୍କ ଅନ୍ତିମ ସଂସ୍କାର କରାଯିବ।

ଗତକାଲିର ଘଟଣା ପରଠୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କଡ଼ାକଡ଼ି ଚେକିଂ କରାଯାଉଛି। ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ଥିବା ଆଶଙ୍କା କରାଯାଉଥିବାରୁ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି। ଓଡ଼ିଶା ସୀମାନ୍ତରୁ ମାତ୍ର ୧୫ କିଲୋମିଟର ଦୂର ତୋଟାଙ୍ଗିରେ ଏହି ହତ୍ୟାକାଣ୍ଡ ହୋଇଥିବାରୁ ଓଡ଼ିଶା ପୁଲିସ୍‌ ସହ ସମନ୍ୱୟ ରକ୍ଷା କରି ଆନ୍ଧ୍ର ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

 

You might also like