ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।  ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ।

ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍‌ଡାଉନ୍‌ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହୋଇଛନ୍ତି।

ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହ ରଥ ନିର୍ମାଣ ବେଳେ ଯେଭଳି ସାମାଜିକ ଦୂରତ୍ୱ ନିୟମର କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ଏନେଇ ପ୍ରସ୍ତାବ ଆସିବା ପରେ କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ଲୋଡ଼ା ଯାଇଥିଲା। ଅନୁମତି ମିଳିବା ପରେ ରଥ କାମ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

You might also like