୯ ବର୍ଷ ହେଲା ସରିପାରୁନାହିଁ ରାସ୍ତା କାମ: ଅସୁବିଧା ଭୋଗୁଛନ୍ତି ଲୋକେ

କେବେ ସରିବ ରାସ୍ତା କାମ?

  • ୯ ବର୍ଷ ପରେ ବି ସରିପାରୁନି ବାଇପାସ୍ ରାସ୍ତା କାମ
  • ଅଧପନ୍ତରିଆ ଅବସ୍ଥାରେ ଯାଜପୁର କଳିଙ୍ଗନଗର ମିଲିଟାରୀ ରୋଡ୍
  • ସହର ଭିତରେ ଭାରିଯାନ ଚଳାଚଳକୁ ନେଇ ଚିନ୍ତାରେ ବୁଦ୍ଧିଜୀବୀ
  • ପ୍ରଶାସନିକ ଅବହେଳାରୁ କାମ ଆଗଉନଥିବା ଅଭିଯୋଗ

ଯାଜପୁର(ଅଭୟ ପତି): ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ। ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତା’ସହ ଦୁର୍ଘଟଣା ବି କମିବ। କିନ୍ତୁ ଦୀର୍ଘ ବର୍ଷ ହେଲା ନା ରାସ୍ତା କାମ ସରିପାରୁଛି ନା ଲୋକଙ୍କୁ ମିଳୁଛି ଯାତାୟାତର ସୁବିଧା? ପ୍ରଶାସନିକ ଅବହେଳାରୁ କାମ ଧିମେଇ ଯାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରୁଥିବାବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଖୁବ୍ ଶୀଘ୍ର ସରିବ ରାସ୍ତା ନିର୍ମାଣ।

କେବେ ସରିବ ରାସ୍ତାକାମ? କେବେ ମିଳିବ ସୁବିଧା? ଗଲା ୯ ବର୍ଷ ହେଲା ରାସ୍ତା କାମ ଚାଲିଛି ଯେ, ସରିବାର ନାଁ ଧରୁନି। ଅଧପନ୍ତରିଆ ଭାବେ ପଡିରହିଛି ଯାଜପୁର ଜିଲ୍ଲା କଳିଙ୍ଗନଗରର ଲାଇଫଲାଇନ୍ କୁହାଯାଉଥିବା ମିଲିଟାରୀ ବାଇପାସ୍ ରୋଡର ନିର୍ମାଣ କାମ। ୨୦୧୨ ମସିହାରେ ତତ୍କାଳୀନ ସୁକିନ୍ଦା ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ଏଠାରେ ଶୁଭ ଦେଇଥିଲେ। ୪ ଥାକିଆ ବିଶିଷ୍ଟ ୬ କିଲୋମିଟର ଲମ୍ବ ଏହି ବାଇପାସ୍ ରାସ୍ତା ତିଆରି ହେଲେ ଆଉ ସହର ଭିତର ଦେଇ ଭାରିଯାନ ଚଳାଚଳ ହେବନାହିଁ ବୋଲି ଆଶା ରଖିଥିଲେ ସ୍ଥାନୀୟ ଲୋକେ। ଏପରିକି ନିର୍ମାଣକାମ ବି ୩ ବର୍ଷ ଭିତରେ ସାରିବାକୁ ପ୍ରତିଶ୍ରୁତି ବି ଦିଆଯାଇଥିଲା।  ମାତ୍ର ଆଜିଯାଏ ସରିପାରୁନି କାମ। ଯେଉଁଥିପାଇଁ ବଢିବାରେ ଲାଗିଛି ଜନ ଅସନ୍ତୋଷ।

ସେପଟେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ୯ ବର୍ଷ ହେଲାଣି ରାସ୍ତା କାମ ଚାଲିଛି। କହିବାକୁ ଗଲେ ପୂରାପୂରି ମନ୍ଥର ଭାବରେ ଏହି ରାସ୍ତାର ନିର୍ମାଣ କାମ ଚାଲିଛି। ସହର ମଧ୍ୟରେ ଗାଡ଼ି ଯିବାରୁ ପ୍ରବଳ ମାତ୍ରାରେ ଧୂଳି ଉଡୁଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଲୋକେ।

ସେପଟେ ପ୍ରତିକ୍ରିୟା ରଖିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ। ସେ କହିଛନ୍ତି ଯେ, ଖୁବଶୀଘ୍ର ଏହି ରାସ୍ତାର ଉଦଘାଟନ କରାଯିବ। ଯାହା ଫଳରେ ସହର ମଧ୍ୟକୁ ଆଉ ଭାରୀଯାନ ପଶିବ ନାହିଁ। ଏହାସହ ପ୍ରଦୂଷଣ ମାତ୍ରା କମିବ ବୋଲି ସେ କହିଛନ୍ତି।

ସେପଟେ ଯାଜପୁର ସହର ଦେଇ ଦୈନିକ ହଜାର ହଜାର ହାଇୱା,ଟ୍ରକ୍, ବସ୍ ଆଦି ଅନେକ ଭାରିଯାନ ଯିବାଆସିବା କରୁଛି। ଯାହାଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହ ଛୋଟବଡ଼ ଦୁର୍ଘଟଣାର ସଂଖ୍ୟା ବି ବଢୁଛି। ମିଲିଟାରୀ ବାଇପାସ୍ ରୋଡ ନିର୍ମାଣ କାମ ଶୀଘ୍ର ସାରିବାକୁ ବାରମ୍ବାର ଦାବି ଉଠୁଥିଲେ ବି ପ୍ରଶାସନିକ ଅବହେଳାରୁ ଏହା ଆଗଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ। ସେପଟେ ଖୁବଶୀଘ୍ର ନିର୍ମାଣ କାମ ସରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସେପଟେ ପରିସ୍ଥିତି ଅଣାୟାତ୍ତ ହେବା ପୂର୍ବରୁ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି।

You might also like