୪ ବର୍ଷ ହେଲାଣି ବ୍ରିଜ୍‌ କାମ ସରୁନି, ହିନସ୍ତା ହେଉଛନ୍ତି ଲୋକେ…

କେବେ ସରିବ ସେତୁ କାମ?

ଆସିକା: ଯାତାୟାତ ପାଇଁ ବାଉଁଶ ପୋଲ ପାଲଟିଛି ସାହାରା। ୪ ବର୍ଷ ବିତିଥିଲେ ବି ସ୍ଥାୟୀ ବ୍ରିଜ୍ କାମ ସରିପାରୁନାହିଁ। ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ।

ବାଉଁଶ ପୋଲରେ ବିପଦଶଙ୍କୁଳ ଯାତ୍ରା କରୁଛନ୍ତି ଲୋକେ। ଗୋଟିଏ ପଟେ ଅଧପନ୍ତରିଆ ହୋଇ ପଡ଼ିଛି କଂକ୍ରିଟ୍ ବ୍ରିଜ୍ କାମ ତ ଅନ୍ୟପଟେ ବାଉଁଶ ପୋଲ ଦେଇ ଯା ଆସ କରୁଛନ୍ତି ଲୋକେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଆସିକା ଅଞ୍ଚଳରେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ବର୍ଷରୁ ଯାତାୟାତ ପାଇଁ ବାଉଁଶ ପୋଲ ପାଲଟିଛି ସାହାରା। ସ୍ଥାୟୀ ପୋଲ ପାଇଁ ବାରମ୍ବାର ଦାବି ପରେ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା କାମ। ମାତ୍ର ୪ ବର୍ଷ ବିତିଲାଣି, ଏଯାଏଁ ବ୍ରିଜ୍ ସଂପୂର୍ଣ୍ଣ ହୋଇପାରୁନି। ଫଳରେ ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ବର୍ଷା ଦିନେ ବାଉଁଶ ପୋଲ ବୁଡ଼ିଯିବାରୁ ଚେରମାରିଆ-କେନ୍ଦୁପଦର ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଦୀର୍ଘ ୨୦ କିଲୋମିଟର ବୁଲି ଯା ଆସ କରନ୍ତି ଲୋକେ।

ନାବାର୍ଡ ସହାୟତାରେ ପୂର୍ତ୍ତ ବିଭାଗ ପକ୍ଷରୁ ୨୦୧୭ ମେ ୨ରେ ଆରମ୍ଭ ହୋଇଥିଲା କାମ। ୧୯ କୋଟି ୮୩ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ଏହି ପୋଲ ୨୦୧୯ ନଭେମ୍ବର ୧ରେ ସରିବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଧାର୍ଯ୍ୟ ସମୟଠୁ ବର୍ଷେରୁ ଅଧିକ ସମୟ ବିତିଲାଣି, କାମ ସରିପାରୁନାହିଁ। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ। ଅନ୍ୟପଟେ ସମସ୍ୟା ସଂପର୍କରେ ଅବଗତ ଥିବା କହିଛନ୍ତି ସ୍ଥାନୀୟ ବିଧାୟିକା। ଶୀଘ୍ର ବ୍ରିଜ୍ କାମ ସାରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

You might also like