ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ମେଡିକାଲକୁ ଆସି ୪ ଘଣ୍ଟା ଆମ୍ବୁଲାନ୍ସରେ ରହିଲେ ! ଶେଷରେ ଜୀବନ ହାରିଲେ..

ବରଗଡ଼: ସାରା ଦେଶରେ ଏବେ କରୋନା ମହାମାରୀକୁ ନେଇ ଭୟର ବାତାବରଣ। ସବୁଠି ସତେ ଯେମିତି ହାହାକାର। ମୃତ୍ୟୁ ଯେମିତି ଆଖପାଖରେ ବୁଲୁଛି। ସେଥିପାଇଁ ଲୋକେ ଘରୁ ବାହାରିବାକୁ ବି ଭୟ କଲେଣି। ତେବେ କରୋନାର ପ୍ରଭାବ ଏବେ ଏତେ ମାତ୍ରାରେ ରହିଛି ଯେ, ମେଡିକାଲରେ ରୋଗୀଙ୍କ ପାଇଁ ବେଡ୍ ମିଳୁ ନାହିଁ। କରୋନା ରୋଗୀଙ୍କ ପାଇଁ ସବୁଠୁ ଉପଯୋଗୀ କୁହାଯାଉଥିବା ଅକ୍ସିଜେନ ମଧ୍ୟ ଅଭାବ ରହିଛି। ମେଡିକାଲକୁ ଆସି ବେଡ୍ ନ ମିଳିବାରୁ ନିରାଶ ହୋଇ ଏଦଆର ସେଦୁଆର ହେଉଛନ୍ତି। ହେଲେ କେହି ପଚାରୁ ନାହାନ୍ତି। ମେଡିକାଲ ବାହାରେ ରୋଗୀ ନିଜ ପ୍ରାଣ ହରାଉଥିବା ମଧ୍ୟ ନଜିର ରହିଛି।

ତେବେ ଠିକ୍ ଏହିଭଳି ଏକ ଅବ୍ୟବସ୍ଥାର ଶିକାର ହୋଇଛନ୍ତି ଯୁଧିଷ୍ଠିର ଛତ୍ରିଆ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବାଉଁସେନମୁରା ଗାଁର ବାସିନ୍ଦା ହେଉଛନ୍ତି ଯୁଧିଷ୍ଟିର ଛତ୍ରିଆ। ସୋମବାର ଯୁଧିଷ୍ଠିରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ମେଡିକାଲ ଆଣିଥିଲେ। ହେଲେ ମେଡିକାଲରେ ପହଞ୍ଚିବା ପରେ, ସେଠାରେ ତାଙ୍କୁ କୁହାଯାଇଥିଲା ଯେ ପ୍ରଥମେ ଯୁଧିଷ୍ଠିରଙ୍କର କୋଭିଡ୍ ଟେଷ୍ଟ କରାଯିବ, ତାପରେ ତାଙ୍କର ଅନ୍ୟାନ୍ୟ ଚିକିତ୍ସା କରାଯିବ।

ହେଲେ ଦୁଃଖର ବିଷୟ ଏହା ଯେ, ସାମାନ୍ୟ କୋଭିଡ୍ ଟେଷ୍ଟ ମଧ୍ୟ ଡାକ୍ତରଖାନାରେ ହୋଇପାରିଲା ନାହିଁ। ଆଉ ଯୁଧିଷ୍ଠିରଙ୍କ ଜୀବନ ଚାଲିଗଲା। କୋଭିଡ୍ ଟେଷ୍ଟ ପାଇଁ ପରିବାର ଲୋକଙ୍କୁ ଡାକ୍ତରଖାନାରେ ଏହି ବିଭାଗରୁ ସେଇ ବିଭାଗ ବୁଲିବାକୁ ପଡ଼ିଥିଲା। ଏହି ପ୍ରକ୍ରିୟା ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିଥିଲା। ଆଉ ସେତିକି ସମୟ ପର୍ଯ୍ୟନ୍ତ ଗୁରୁତର ଯୁଧିଷ୍ଠିର ସେହି ଆମ୍ବୁଲାନ୍ସ ଭିତରେ ହିଁ ରହିଥିଲେ। ସଠିକ୍ ସମୟରେ ଚିକିତ୍ସା ନପାଇବାରୁ ଶେଷରେ ସେହି ଆମ୍ବୁଲାନ୍ସ ଭିତରେ ହିଁ ନିଜ ଜୀବନ ହାରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ ଘଟଣା କୌଣସି ଗାଁ ଗହଳି ଭିତରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୁହେଁ ବରଂଏହା ହେଉଛି ଖୋଦ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କଥା।

ଖାଲି ସେତିକି ନୁହେଁ। ଏମିତି ଆଉ ଏକ ଘଟଣା ମଧ୍ୟ ଘଟିଛି ସେହି ବରଗଡ଼ ଜିଲ୍ଲାରେ। ଯାହାକି ସମସ୍ତଙ୍କ ମନରେ ଅସନ୍ତୋଷ ଭରି ଦେଇଛି। ବରଗଡ ବ୍ଲକ ଧାଙ୍ଗେର ଗାଁର ଜଣେ ଗର୍ଭବତୀ ମେଡିକାଲ ଆସିଥିଲେ। ପ୍ରବଳ ପ୍ରସବ ବେଦନା ହେବାରୁ ପରିବାର ଲୋକ ତାଙ୍କୁ ମେଡିକାଲ ଆଣିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ, ମେଡିକାଲରେ ବେଡ ନାହିଁ। ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ସେହି ମେଡିକାଲ ବାରଣ୍ଡାରେ ଶୁଆଇ ଚିକିତ୍ସା ପାଇଁ କହିଲେ। ହେଲେ ସେତିକି ଚିକିତ୍ସା ମଧ୍ୟ ସେ ସଠିକ୍ ଭାବେ ପାଇଲେ ପାହିଁ। ଆଉ ଶେଷରେ ସେହି ମେଡିକାଲ ବାରଣ୍ଡାରେ ଆଖିବୁଜିଲେ ଗର୍ଭବତୀ।

ଜିଲ୍ଲା ଚିକିତ୍ସାଧିକାରୀ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ଗୋଟିଏ ପଟେ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ମେଡିକାଲ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ତେଣୁ ଚିକିତ୍ସା ସେବାରେ ବାଧା ଉପୁଜିଛି। ଖୁବ୍ ଶୀଘ୍ର ଏଭଳି ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଛି।

You might also like