୩ ବର୍ଷ ହେଲାଣି କିନ୍ତୁ ସରିପାରୁନାହିଁ ରାସ୍ତା କାମ

ପ୍ରବଳ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଲୋକେ

  • ସରିପାରୁନି କଟକ ଚୌଦ୍ୱାର ଏନ୍ଏଚ୍ ୫୫ର ସଂପ୍ରସାରଣ କାମ
  • ପ୍ରବଳ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଲୋକେ
  • ଗାଡିମଟର ଯିବାଆସିବା କରିବାରେ ସମସ୍ୟା ଉପୁଜୁଥିବା ଅଭିଯୋଗ
  • ବୁଲା ଗୋରୁ ଓ କୁକୁରଙ୍କ ପ୍ରାଦୁର୍ଭାବରେ ବଢୁଛି ଦୁର୍ଘଟଣା

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ୩ ବର୍ଷରୁ ଅଧିକ ସମୟ ବିତିଲାଣି ସରିପାରୁନି କଟକ ଚୌଦ୍ୱାର ଦେଇ ଯାଇଥିବା ଏନ୍ଏଚ୍ ୫୫ର ସଂପ୍ରସାରଣ କାମ। ଫଳରେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତା ଛଡ଼ା ବୁଲା ଗାଇ ଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।

ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଲୋକେ। ସ୍ଥିତି ଏଭଳି ଯେ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା। ଅଧପନ୍ତରିଆ ହୋଇ ପଡ଼ି ରହିଛି ରାସ୍ତା କାମ। ଠା କୁ ଠା ଜମା ହୋଇ ରହିଛି ଗୋଡ଼ି ବାଲି ଓ ମେଟାଲ। ଏମିତି କିଛି ଦୃଶ୍ୟ କଟକ ଚୌଦ୍ୱାର ଅଞ୍ଚଳର ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳୁଛି। ସଂପ୍ରସାରଣ କାମ ୩ ବର୍ଷରୁ ଅଧିକ ସମୟ ହେବ ଚାଲିଛି, ମାତ୍ର ଏଯାଏଁ ସରିପାରୁନିି। ଫଳରେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

ସ୍ଥାନୀୟ ଲୋକ କହିଛନ୍ତି ଯେ, ଏଠି ଗଦାଗଦା ମେଂଟାଲ ସବୁ ଅନେକ ଦିନ ହେଲାଣି ପଡ଼ି ରହିଛି। ପ୍ରବଳ ମାତ୍ରାରେ ଧୂଳି ଉଡୁଥିବା କାରଣରୁ ଦୁର୍ଘଟଣାର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଖି ଆଗରେ ମୁଁ ଦୁଇ ଦୁଇଟି ଦୁର୍ଘଟଣା ଦେଖିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସେପଟେ ସ୍ଥାନୀୟ ସାମାଜିକ କର୍ମୀ କହିଛନ୍ତି, ରାସ୍ତାର ଦୁଇ ପାର୍ଶ୍ୱ ଖୋଳାଯାଇଛି। ରାସ୍ତା ଉପରେ ରାସ୍ତା କାମ ଲାଗି ଆସିଥିବା ସାମଗ୍ରୀ ବି ଗଦା ହୋଇ ରହିଛି। ଚାଲିକି ଯିବା ବି କଷ୍ଟକର ହେଉଥିବା ସେ କର୍ମୀ ଜଣକ କହିଛନ୍ତି।

ଖାଲି ଧୁଳି ଧୂଆଁ ନୁହେଁ, ରାସ୍ତାରେ ବୁଲା ଗାଇ ଗୋରୁ ଓ କୁକୁରଙ୍କ ପାଦୁର୍ଭାବ ବି ବଢ଼ି ଚାଲିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେଉଛନ୍ତି ଲୋକେ। ଏ ନେଇ ପୌର ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପଟେ କରୋନା ପାଇଁ କାମ ବିଳମ୍ବ ହୋଇଥିଲା, ନିର୍ଦ୍ଧାରିତ ସମୟରେ କାମ ସାରିବା ପାଇଁ ଠିକା ସଂସ୍ଥା ସହ ଆଲୋଚନା କରାଯାଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ।

 

You might also like