କଣ୍ଟାମାଳରେ କାର୍ଯ୍ୟକ୍ଷମ ହୋଇପାରନି ମେଗା ଉଠା ଜଳସେଚନ ପ୍ରକଳ୍ପ

ବୌଦ୍ଧ: ୩ ବର୍ଷ ବିତିଗଲାଣି ତଥାପି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ।


ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲାଗି ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଯୋଜନା ହୋଇଥିଲା। ତେବେ କଣ୍ଟାମାଳ ବ୍ଲକରେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ମରୁଡ଼ି ହୋଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି।


ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଣଜଳସେଚିତ ଚାଷ ଜମି ଗୁଡ଼ିକ ମରୁଡ଼ି ପ୍ରଭାବିତ ହୋଇଛି। ଜଳସେଚନ ଅଭାବରୁ ବ୍ଲକ୍‌ର ଅଧିକାଂଶ ଚାଷ ଜମିରେ ଧାନ ଗଛ ପୋଡ଼ିଗଲାଣି। ଏଠାକାର ଅଣ ଜଳସେଚିତ ଜମିରେ ପାଣି ଯୋଗାଇବା ଲାଗି ସରକାର ୩ ବର୍ଷ ପୂର୍ବେ ଟିକ୍ରିପଡ଼ାରେ ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିଥିଲେ।

ଅଗଷ୍ଟ ମାସରେ ଏହା କାର୍ଯ୍ୟକ୍ଷମ ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ସରିବାର ନାଁ ଧରୁନାହିଁ। ପାଣି ମଡ଼ାଇବା ଲାଗି ଆଶାରେ ଥିବା ଚାଷୀ ସୁବିଧା ନ ପାଇବାରୁ ଏବେ ଧାନ ଗଛ ପୋଡ଼ିଗଲାଣି। ସମ୍ଭାବ୍ୟ ମରୁଡ଼ି ପାଇଁ ଅଞ୍ଚଳବାସୀ ସରକାରୀ ଉଦାସୀନତାକୁ ଦାୟୀ କରିଛନ୍ତି।

ବୌଦ୍ଧ ଜିଲ୍ଲାର ଚାଷୀଙ୍କ ସୁବିଧା ଲାଗି ତେଲ ନଦୀ କୂଳରେ ସରକାର ୪ଟି ମେଗା ଉଠା ଜଳସେଚନ ପ୍ରଳଳ୍ପ ଲାଗି ଘୋଷଣା କରିଥିଲେ। ସେଥିମଧ୍ୟରୁ ତିନିଟି ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତିରେ କାମ ଯୋଗୁଁ କଣ୍ଟାମାଳ ବ୍ଲକ ଟିକ୍ରିପଡ଼ା ସ୍ଥିତ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି। ଅନ୍ୟପଟେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ କାମ ସରିଛି ଏବଂ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।

You might also like