ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଲେ ବିରଜୁ

ସୁନ୍ଦରଗଡ଼: ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ। ଆଉ କିଛି ସମୟ ପରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିବେ।

ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯିବ। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିବେ। ଆସନ୍ତାକାଲି ସକାଳେ ଏକ ଶୋଭାଯାତ୍ରାରେ ବିରଜୁଙ୍କୁ ନିଆଯାଇ ତାଙ୍କ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା।

ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିରଜୁଙ୍କୁ ଧରି ଏକ ସ୍ୱତନ୍ତ୍ର ଗାଡ଼ିରେ ସୁନ୍ଦରଗଡ଼ ମୁହାଁ ହୋଇଛି। ସେପଟେ ପରିବାର ଲୋକେ ବିରଜୁଙ୍କୁ ସ୍ୱାଗତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

You might also like