୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆସିଛି ଦ୍ୱିତୀୟ ବଡ଼ ବାତ୍ୟା

ଭୁବନେଶ୍ୱର: ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆସିଛି ଦ୍ୱିତୀୟ ବଡ଼ ବାତ୍ୟା। ଏହା କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏବେ ସମୁଦ୍ରରେ ବାତ୍ୟା ରହିଛି। ପବନ ବେଗ ଘଣ୍ଟାପ୍ରତି ୨୪୦ କିମି ରହିଥିବା ବେଳେ ୧୫ କିମି ବେଗରେ ବାତ୍ୟା ଆଗକୁ ବଢୁଛି। ପାରାଦୀପଠୁ ୩୬୦ କିମି ଦୂରରେ ରହିଛି ଅମ୍ପନ। ଏହା ଉତ୍ତର- ଉତ୍ତର ପୂର୍ବକୁ ଗତି କରୁଛି।

ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏତିକି ବେଳେ ପବନ ବେଗ ସର୍ବାଧିକ ୧୮୫ କିମି ରହିବ। ଦକ୍ଷିଣ ଚବିଶ ପ୍ରଗଣା, ମେଦିନପୁର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବ ବାତ୍ୟା। କୋଲକାତା, ହୁଗୁଳି, ହାୱାଡ଼ା ଜିଲ୍ଲାରେ ବି ବ୍ୟାପକ କ୍ଷତି ଘଟାଇବ।

କାଲି ସକାଳେ ୭୫ରୁ ୯୫ କିମି ଯାଏ ପବନ ବହିବା ସମ୍ଭାବନା ରହିଛି। କାଲି ଅପରାହ୍ନରେ ସର୍ବାଧିକ ୧୮୫ କିମି ଯାଏ ପବନ ବହିପାରେ।

ପଶ୍ଚିମବଙ୍ଗ, ବାଂଲାଦେଶରେ ସର୍ବାଧିକ କ୍ଷତି ଘଟାଇବ ବୋଲି ଆଇଏମଡି ସୂଚନା ଦେଇଛି। ଉତ୍ତର ଉପକୂଳ ଓଡ଼ିଶାରେ ବି ବାତ୍ୟାର ଯଥେଷ୍ଟ ପ୍ରଭାବ ଅନୁଭୂତ ହେବ।

ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବେ ୫୫ରୁ ୭୫ କିମି ବେଗରେ ପବନ ହେଉଛି।  ଧୀରେ ଧୀରେ ପବନ ବଢ଼ି କାଲି ସକାଳକୁ ଉତ୍ତର ଓଡ଼ିଶା ଉପକୂଳକୁ ଯିବ। କାଲି ଉତ୍ତର ଓଡ଼ିଶା ଉପକୂଳରେ ସର୍ବାଧିକ ୧୨୫ କିମି ଯାଏ ପବନ ବହିବ।

ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କାଲି ବି ଉପକୂଳ ଅଞ୍ଚଳର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ମୁକାବିଲା ପାଇଁ ମୋଟ ୪୧ଟି NDRF ଟିମ୍ ମୁତୟନ କରାଯାଇଛି ବୋଲି NDRF ଡିଜି ଏସ୍.ଏନ୍ ପ୍ରଧାନ କହିଛନ୍ତି।

ଓଡ଼ିଶାରେ ୧୫ ଟିମ୍ ମୁତୟନ ଥିବା ବେଳେ , ୫ଟି ଟିମ୍ ରିଜର୍ଭ ରଖାଯାଇଛି। ଫୋନିରୁ ପାଇଥିବା ଅଭିଜ୍ଞତା ମୁକାବିଲା ପାଇଁ ଆମକୁ ଅଧିକ ସଶକ୍ତ କରିଛି ବୋଲି ସେ କହିଛନ୍ତି।

ଅଧିକ କଟର ସହ ବହୁ ପରିମାଣର ଯନ୍ତ୍ରାଂଶ ଧରି ଟିମ୍ ପ୍ରସ୍ତୁତ ରହିଛନ୍ତି। ୨୪ଟି ଟିମ୍ ଷ୍ଟାଣ୍ଡବାଇ ଥିବା କହିଲେ ଡିଜି ଏସ୍.ଏନ୍ ପ୍ରଧାନ।

You might also like