ଇଣ୍ଡଷ୍ଟ୍ରିଜ୍ ନାଁରେ ତିଆରି ଚାଲିଥିଲା ନକଲି ସୋୟା ବଡ଼ି

କଟକ: କଟକ ଜଗତପୁର ଅଞ୍ଚଳରେ ପୁଣି ସାମ୍ନାକୁ ଆସିଲା ଭେଜାଲ୍ ମାଲ ତିଆରି କାରଖାନା। ପୋଲିସ ଦ୍ୱାରା ଠାବ ହୋଇଛି ନକଲି ସୋୟା ବଡ଼ି ତିଆରି ୟୁନିଟ୍। ଆର.ଏମ୍.ମିଲ୍ ଜଗତପୁର ଇଣ୍ଡଷ୍ଟ୍ରିଜ୍ ନାଁରେ ଚାଲିଥିବା ଏହି କାରଖାନାରେ ତିଆରି ହେଉଥିଲା ଅପମିଶ୍ରିତ ସୋୟା ବଡ଼ି। ଆଜି ଏହା ଉପରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ସୋୟା ବଡ଼ି ସହ ବିଭିନ୍ନ ପ୍ରକାରର କଞ୍ଚାମାଲ୍ ଏବଂ କେମିକାଲକୁ ଜବତ କରିଛି। ଏଠାରେ ପୋକରା ଚାଉଳ ଏବଂ ଅମୋନିଆ ବାଇକର୍ବୋନେଟ୍ ବ୍ୟବହାର କରି ତିଆରି କରାଯାଉଥିଲା ସୋୟାବଡ଼ି। ସୋୟାବଡ଼ିକୁ ଫୁଲାଇ ରଖିବା ପାଇଁ ଏହି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। କମିଶନରେଟ୍ ପୋଲିସ ଏହାର ଖୋଳତାଡ଼ ଜାରି ରଖିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜଗତପୁର ଅଞ୍ଚଳରେ ହୋଇଥିବା ଏହି ୧୮ ତମ ଚଢ଼ାଉ ପରେ ପୋଲିସ ଅଧିକ ଯାଞ୍ଚ ପାଇଁ କଟକ ମହାନଗର ନିଗମ ଟିମ୍‌ ବି ସାମିଲ କରିଛି।

କେବଳ ସେତିକି ନୁହେଁ, ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ୟବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ୟୁପ୍ଲିକେଟ୍। ଗଲା କିଛି ଦିନ ଭିତରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହେଲାଣି, ତାକୁ ନେଇ ଛାନିଆ ସାଧାରଣ ଜନତା। କହିବାକୁ ଗଲେ ସିଧାସଳଖ ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ।

You might also like