‘ରାତି ୯ଟା ସୁଦ୍ଧା ଖାଲି ହେବ ବଡଦାଣ୍ଡ’

ପୁରୀ: ରଥଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ। ଆଜି ପୁରୀରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ନୀଳାଦ୍ରି ଭକ୍ତ ନିବାସରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ଆୟୋଜିତ ହୋଇଥିଲା। ସେଠାରେ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।

ରଥଯାତ୍ରା ଆୟୋଜନ ପାଇଁ ସବୁ ବିଭାଗ ପ୍ରସ୍ତୁତ ରହିଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ରାୟ ଯାହା ଆସିବ ସେନେଇ ପ୍ରସ୍ତୁତ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ଶୃଙ୍ଖଳିତ ରଥଯାତ୍ରା ନେଇ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ବଲଓ୍ୱନ୍ତ ସିଂ କହିଛନ୍ତି।

ରଥଯାତ୍ରା ଅବସରରେ କରୋନା ସତ୍ତର୍କତାମୂଳକ ପଦକ୍ଷେପ ସୂରୁପ ମାସ୍କ ଓ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ କରାଯାଇଛି।  ସେହିପରି ସିଧାପ୍ରସାରଣ ଦାୟିତ୍ୱ ଦୂରଦର୍ଶନକୁ ଦିଆଯାଇଛି।  ଆଜି ରାତି ୯ଟା ସୁଦ୍ଧା ବଡ଼ଦାଣ୍ଡ ଖାଲି କରାଯିବା ନେଇ ନିଷ୍ପତ୍ତି ହୋଇଛି । କେବଳ ପାସଧାରୀ ଓ ସରକାରୀ ଅଧିକାରୀଙ୍କୁ ବଡଦାଣ୍ଡକୁ ଛଡାଯିବ ।  ସୀମିତ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯିବ ଅନୁମତି ।

ଆହୁରି ମଧ୍ୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ କୋଭିଡ ଟେଷ୍ଟ ହେବ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି କୋଭିଡ ଟେଷ୍ଟ ସରଞ୍ଜାମ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ମଧ୍ୟ ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ।