ମାଲକାନଗିରି: ମାଲକାନଗିରିର ବଣ୍ଡାଘାଟିରେ ୧୨ ଜଣ କରୋନା ପଜିଟିଭ ବାହାରିବା ପରେ ତତ୍ପର ହୋଇଛି ପ୍ରଶାସନ। ଚିହ୍ନଟ ହୋଇଥିବା କିଛି ପଜିଟିଭଙ୍କ ମଧ୍ୟରୁ କିଛି ଭଲ ହୋଇ ସାରିଲେଣି, ଅନ୍ୟ କିଛି ଲୋକଙ୍କୁ ସଂଗରୋଧରେ ରଖାଯାଇଛି। ଖଇରିପୁଟ ବିଡ଼ିଓ ସହ ପ୍ରଶାସନ ପକ୍ଷରୁ ଟିମ ଗଠନ କରାଯାଇ ବଣ୍ଡା ଗ୍ରାମରେ ସଚେତନ କରାଯାଉଛି। କରୋନା ସମୟରେ କିପରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାଇ ରଖିବେ ଏ ନେଇ ସଚେତନ କରାଯାଇଛି। ଲୋକଙ୍କୁ ବାରମ୍ବାର ହାତ ଧୋଇବା ପାଇଁ କହିବା ସହ ଗାଁକୁ ଗାଁ ବୁଲି ସଚେତନ କରାଯାଉଛି। ଏହାସହ ଲୋକ ମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଉଛି। କିପରି ବଣ୍ଡା ଘାଟିରେ ସଂକ୍ରମଣ ନବ୍ୟାପିବ ସେଥିପାଇଁ ଚେଷ୍ଟା କରାଯାଉଛି। ଲୋକେ ସଚେତନ ନଥିବାରୁ ତାଙ୍କୁ ସରଳ ଭାଷାରେ ବୁଝା ଯାଉଛି। ଟିମ ପହଞ୍ଚି ସଂକ୍ରମିତଙ୍କ ଉପରେ ନଜର ମଧ୍ୟ ରଖିଛି।
ସେପଟେ କିନ୍ତୁ ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। ଆମେ ନିୟମ ରଜାଙ୍କୁ ପୂଜା କରୁଛୁ ଆମର କିଛି ହେବ ନାହିଁ କହି ଟେଷ୍ଟକୁ ବିରୋଧ କରୁଛନ୍ତି। ଏନେଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସକକା ଲଦ କହିଛନ୍ତି ଯେ, ନିୟମ ରଜାଙ୍କୁ ପୂଜା କରୁଥିବାରୁ ସେମାନଙ୍କର କିଛି ହେବ ନାହିଁ। ଆଜି ନିୟମଗିରି ପାହାଡ଼ ତଳେ ଥିବା ପରସାଲିରେ ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ ହେବାର ଥିଲା। ଏଥିଲାଗି ଗାଁରେ ଟିମ୍ ପହଞ୍ଚିଥିଲେ ବି କନ୍ଧ ସମାଜର ଲୋକେ ତାଙ୍କୁ ସହଯୋଗ କରିନଥିଲେ। ଟିମରେ ଥିବା କଲ୍ୟାଣସିଂହପୁର ବିଡିଓ କହିଛନ୍ତି, ଏନେଇ ଲୋକଙ୍କୁ ବୁଝାସୁଝା କରାଯାଉଛି।