ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ମେଳା ଆରମ୍ଭ ହୋଇଛି। ତେବେ ଏଥର ଏହି ମେଳା ଆଦିବାସୀ ପଡ଼ିଆରେ ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି।

୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଲୋକଙ୍କ ଚାଲିଚଳନ, ସେମାନେ ବ୍ୟବହାର କରୁଥିବା ଅଳଙ୍କାର, ରହୁଥିବା ଘର, ଆସବାବ ପତ୍ର, ପୋଷାକପତ୍ର, ଖାଦ୍ୟପେୟ ଇତ୍ୟାଦି ଦେଖିବାକୁ ରାଜଧାନୀବାସୀଙ୍କ ଲମ୍ବା ଲାଇନ୍‌ ଲାଗିଛି।

କନ୍ଧମାଳ ହଳଦୀ ସାଙ୍ଗକୁ  କେନ୍ଦୁଝରର ଫୁଲବଡ଼ି ତା ସାଙ୍ଗକୁ ଫୁଲ ଝାଡୁ, ମୁଗ, ବିରି, କୋଳଥ, ମାଣ୍ଡିଆ, ଝୁଣା ଏମିତି ଅନେକ ପ୍ରକାର ଜିନିଷ ଆଦିବାସୀ ମେଳାରେ ଦେଖିବାକୁ ମିଳିଛି।

ରାଜଧାନୀରେ ଆଦିବାସୀ ଦ୍ରବ୍ୟର ଚାହିଦା ଥିବାରୁ ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି।

ଚଳିତବର୍ଷ ଆଦିବାସୀ ମେଳାରେ ୧୮୦ଟି ଷ୍ଟଲ ଲାଗିଛି। ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା  ଚାଲିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ।

ଆଦିବାସୀମାନଙ୍କ  ଦ୍ରବ୍ୟକୁ ଲୋକାଭିମୁଖୀ କରାଇବା ସହ ବଜାର ସୃଷ୍ଟି କରିବା ଲାଗି ଏହି ମେଳା ଆରମ୍ଭ ହୋଇଥିଲା।

ଅନ୍ୟପଟେ ଏହି ମେଳାକୁ ଆହୁରି ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି। ଏଥିସହ ଲୋକଙ୍କ ଲାଗି ଅସ୍ଥାୟୀ ଏଟିଏମ୍‌ର ସୁବିଧା ମଧ୍ୟ କରାଯାଇଛି।

You might also like