ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଆସିଲା ସୁଇସାଇଡ଼୍ ନୋଟ୍ର ଫୋରେନସିକ୍ ରିପୋର୍ଟ
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ଼୍ ନୋଟ୍କୁ ନେଇ ବଡ଼ ଖୁଲାସା ହୋଇଛି।
ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଲେଖିଥିବା ଫୋରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ ହିଁ ଜବତ ଡାଏରୀରେ ନିଜ ଶେଷ କଥା ଲେଖିଛନ୍ତି। ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ୍ ନୋଟ୍ର ଲେଖା ମେଳ ଖାଉଛି। ରେଲ୍ୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ମୃତ୍ୟୁର ଏତେ ଦିନ ପରେ ଜବତ ଡାଏରୀରେ ନିଜେ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ ତାକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ, ଏବେ ଏହି କଥା ସାମ୍ନାକୁ ଆସିବା ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ଅନ୍ୟ ଦିଗରୁ ବି ତଦନ୍ତ ଚାଲିଥିବା ନେଇ ରେଲ୍ୱେ ADG କହିଛନ୍ତି।
ସୂଚନାଥାଉ କି, ଜିଆରପିକୁ ମିଳିଥିବା ଆଦିତ୍ୟଙ୍କ ଡାଏରୀରେ ନିଜ ବାପା, ମାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ସହ ପତ୍ନୀଙ୍କ ପ୍ରତି ସ୍ନେହ, ପ୍ରେମର କଥା ଲେଖିଥିଲେ ଆଦିତ୍ୟ। ପପୁଙ୍କ ସହ ଟଙ୍କା କାରବାର କଥା ବି ଉଲ୍ଲେଖ ରହିଥିଲା ଏହି ଡାଏରୀରେ।
ସବୁଠୁ ବଡ଼ କଥା ହେଉଛି, ମଦ ବିରୋଧୀ ଆନ୍ଦୋଳନ ଏବଂ ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ମଜଭୁତ ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ ଆଦିତ୍ୟ। ହେଲେ ସୁଇସାଇଡ୍ ନୋଟ୍ରେ କେଉଁଠି ବି ଲେଖାଯାଇନି ସେ କାହିଁକି ଆତ୍ମହତ୍ୟା କରୁଛନ୍ତି। ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା।