ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼; ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ

ସମାଜସେବୀ ଆଦିତ୍ୟ ଦାଶ ରହସ୍ୟଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼। ସାମ୍ନାକୁ ଆସିଛି ଘଟଣା ଦିନର ଏକ ସିସିଟିଭି ଭିଜୁଆଲ। ଯେଉଁଥିରେ ଆଦିତ୍ୟ ଚାଲି ଚାଲି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି।  ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛି ଆଦିତ୍ୟ ସଂଘ।

 

ଘଟଣାର ୧୭ ଦିନ ବିତି ଯାଇଥିଲେ ବି କିଛି ଠୋସ ପ୍ରମାଣ ଜିଆରପି ହାତରେ ଲାଗିନି। ନିରପେକ୍ଷ ତଦନ୍ତ କରାଗଲେ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଆଦିତ୍ୟ ସଂଘ ପକ୍ଷର ଓକିଲ କହିଛନ୍ତି। ସୂଚନା ଥାଉ କି ଆଦିତ୍ୟ ସଂଘର ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି ଜିଆରପି।

 

ଅନ୍ୟପଟେ କମିଶନରେଟ୍ ପୋଲିସ ତଦନ୍ତ ଦାବି କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଚିଠିରେ ସେ ଲେଖିଛନ୍ତି, ଏହି ଘଟଣାରେ ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ। ଏଥିସହିତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ସେହିପରି ଆଦିତ୍ୟୁଙ୍କ  ସ୍ତ୍ରୀ ବିଦ୍ୟାଶ୍ରୀ ମଧ୍ୟ ଘଟଣାରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଦାବି କରିଛନ୍ତି।ନିଜର ଓ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପୁର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି। ଲାଏ ଡିଟେକ୍ସନ ଟେଷ୍ଟ କଲେ ଅନେକ ସତ୍ୟ ପଦାକୁ ବାହାରିବ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ସୂଚନା ଥାଉକି ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ଘଟଣା ପରେ ତାଙ୍କ ମୃତ୍ୟୁ କୁନେଇ ନାନା ତଥ୍ୟ ସାମ୍ନାକୁ ଆସିଛି।

 

You might also like