ନିଜ ସଂଘର୍ଷମୟ ଜୀବନର କାହାଣୀ ବଖାଣିଲେ ସ୍ୱରା

ଭୁବନେଶ୍ୱର: ବଲିଉଡ୍ ସହ ଓଡ଼ିଶାର ସଂପର୍କ ଅତି ନିବିଡ଼। ମୁମ୍ବାଇର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଶାର କଟକରୁ ଅନେକ ପ୍ରତିଭା ଅଛନ୍ତି ବୋଲି ଅଭିନେତ୍ରୀ ସ୍ୱରା ଭାସ୍କର କହିଛନ୍ତି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରା କହିଛନ୍ତି ଯେ,  ତାଙ୍କର ମନପସନ୍ଦ ସ୍ଥାନ ମଧ୍ୟରୁ ଓଡ଼ିଶା ଗୋଟିଏ । ସବୁଥର ଏଠାରେ ଅଧିକ ସମୟ ରହିବାକୁ ପସନ୍ଦ କରନ୍ତି । ହେଲେ ସମୟ ତାହା କରିବାକୁ ଦେଇନଥାଏ ବୋଲି ସ୍ୱରା କହିଛନ୍ତି । ଏହାସହ ସେ କେମିତି ବଲିଉଡ୍‌ରେ ଏଣ୍ଟ୍ରି ନେଲେ ସେ କାହାଣୀ ମଧ୍ୟ ଦର୍ଶକଙ୍କ ସହ ବାଣ୍ଟିଥିଲେ।

ମୁମ୍ବାଇରେ ପହଞ୍ଚିବା ପରେ କଣ ହେଲା?

କ୍ୟାରିଆର ଆରମ୍ଭ ବେଳେ ମୁମ୍ବାଇରେ ତାଙ୍କୁ କିପରି ସଂଘର୍ଷ କରିବାକୁ ପଡ଼ିଥିଲା ତାହା ବର୍ଣ୍ଣନା କରି ସ୍ୱରା କହିଥିଲେ-ଯେତେବେଳେ ମୁଁ ମୁମ୍ବାଇରେ ପହଞ୍ଚିଲି, ସେଠାରେ କେହି ମୋର ଚିହ୍ନା ପରିଚିତ ନଥିଲେ। ସିଙ୍ଗଲ ଝିଅକୁ ମୁମ୍ବାଇରେ ଘର ଦେବାକୁ କେହି ବି ଘରମାଲିକ ପସନ୍ଦ କରୁନଥିଲେ। ତାହା ବି ପୁଣି ଜଣେ ଷ୍ଟ୍ରଗଲ କରୁଥିବା ଅଭିନେତ୍ରୀଙ୍କ ପାଇଁ ମିଳିବା ଆହୁରି କଷ୍ଟକର। ଶେଷରେ ମୋ ମା’ଙ୍କ ବନ୍ଧୁ ତଥା ଲେଖକ ରଞ୍ଜୁମନ୍ ସାରଙ୍କ ଅଫିସ୍‌ରେ ଗୋଟିଏ ମାସ ପାଇଁ ରହିଥିଲି। ଜୀବନରେ ପ୍ରଥମ ଥର ପାଇଁ ଏକା ରହିଥିଲି। ତାପରେ ଗୋଟିଏ ବ୍ରୋକର୍‌କୁ  ଘର ଦେଖିବା ପାଇଁ କହିଥିଲି। ଘରଭଡ଼ାକୁ ନେଇ ପ୍ରଚଳିତ ଆଇନ୍‌ ବ୍ୟବସ୍ଥା କହିବା ପରେ ଏସବୁ ଆଇନ୍‌ ଘରମାଲିକ ପାଖରେ ଚଳେନି ବୋଲି ବ୍ରୋକର ଜଣକ ମୋତେ କହିଥିଲେ।

ଅନ୍ୟମାନେ ରିଜେକ୍ଟ କଲେ ମୁଁ ଆକ୍ସେପ୍ଟ କରେ:

ଫିଲ୍ମ କ୍ୟାରିଅରରେ କିପରି ସଫଳତା ପାଇଲେ ସ୍ୱରା ତାହାର ରାଜ ଖୋଲିଥିଲେ। ସେ କହିଥିଲେ- ମୁଁ ମୋ ଜୀବନରେ ବହୁତ ସଂଘର୍ଷ କରିଛି। ମୁମ୍ବାଇରେ ସଂଘର୍ଷ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଅନ୍ୟ ଚକ୍ଷୁରେ ଦେଖାଯାଏ। ମୁଁ ଅଡିଶନ୍ ଦେଇଛି। ଧୀର ଗତିରେ ମୁଁ ଆଗକୁ ଯାଇଛି। ମୋର ଅଭିନୀତ ଫିଲ୍ମ ଯାହାବି ସୁପରହିଟ୍‌ ହୋଇଛି, ଏହାର କାରଣ ହେଲା ତାହାକୁ ଅନ୍ୟ ଅଭିନେତ୍ରୀମାନେ ପ୍ରତ୍ୟାଖାନ କରିଛନ୍ତି। ଅର୍ଥାତ୍ ଛୋଟ ଛୋଟ ଅଭିନୟ ଭାବି ସେମାନେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି ଆଉ ମୁଁ ତାହାକୁ ଆକ୍ସେପ୍ଟ କରିନେଇଛି। ସେହି ଫିଲ୍ମ ହିଁ ମୋତେ ବଡ଼ ମାଇଲେଜ୍ ଦେଇଛି। ତନୁ ଆଣ୍ଡ ମନୁ ଫିଲ୍ମ କ୍ଷେତ୍ରରେ ମଧ୍ୟ ତାହାହିଁ ହୋଇଥିଲା।

କେଉଁ ଫିଲ୍ମ ଦେଇଥିଲା ବଡ଼ ମାଇଲେଜ୍‌?

ତନୁ ଆଣ୍ଡ ମନୁ ଫିଲ୍ମ ମୋ ପାଇଁ ଗୋଟିଏ ସୁଯୋଗ ଆଣିଦେଲା ଓ ମୋର ପରିଚୟ ସୃଷ୍ଟି କଲା। ପରେ ରାଞ୍ଝଣା ମୋତ ସବୁଠୁ ବଡ଼ ମାଇଲେଜ୍ ଦେଇଥିଲା।

ଓଟିଟିରେ ବୋଲ୍ଡ ଦୃଶ୍ୟକୁ ନେଇ କଣ କହିଲେ ସ୍ୱରା

ଯଦି ୧୮ ବର୍ଷ ଗାଡି ଚଳାଇବା ପାଇଁ ଅନୁମତି ଅଛି, ବିବାହ କରିବା ପାଇଁ, ଭୋଟ ଦେବା, ମଦ ପିଇବା ପାଇଁ ଅନୁମତି ଅଛି  ତେବେ ଓଟିଟିରେ ଟିକେ ବୋଲ୍ଡ କଣ୍ଟେଟ ଦେଖିଦେଲେ କ’ଣ ଅସୁବିଧା ରହିଛି। ଆଜି ଏଭିଳ କିଛି ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଓଟିଭି ଫୋରସାଇଟ-୨୦୨୧ରେ ଯୋଗ ଦେଇ ଅଭିନେତ୍ରୀ ସ୍ୱରା ଭାସ୍କର ଡିଜିଟାଲ ପ୍ଲାଟଫର୍ମକୁ ନେଇ ସ୍ୱର ଉଠାଇଛନ୍ତି। ସେ କହିଛନ୍ତି, ମୁଁ ଚଳଚ୍ଚିତ୍ରରେ ସେନ୍ସରର ବିରୋଧୀ, କିନ୍ତୁ ପ୍ରମାଣପତ୍ରକୁ ନେଇ ସମର୍ଥନ କରେ। ଚଳଚ୍ଚିତ୍ର କିମ୍ବା ଡିଜିଟାଲ୍ ମିଡିଆରେ ବୋଲ୍ଡ ତଥା ଅନ୍ତରଙ୍ଗ ଏବଂ ହିଂସା ଦୃଶ୍ୟ ସ୍କ୍ରିପ୍ଟର ଆବଶ୍ୟକତା ଉପରେ ଆଧାରିତ ହେବା ଉଚିତ୍।

ସେ ଆହୁରି କହିଛନ୍ତି ଯେ, ମହାମାରୀ କରୋନା ଭିତରେ ଓଟିଟି ସବୁଠାରୁ ବଡ ପ୍ଲାଟଫର୍ମ ହୋଇ ଉଭା ହୋଇଛି। ଦିନେ ଯେଉଁ ବିଗ ବଜେଟ ଫିଲ୍ମଗୁଡିକୁ ବଡ ପରଦାରେ ରିଲିଜ ହେଉଥିଲା, ତାହା ଆଜି ଓଟିଟିରେ ରିଲିଜ ହେଉଛି। ଲୋକେ ଓଟିଟିକୁ ପସନ୍ଦ କରୁଛନ୍ତି। ଆଞ୍ଚଳିକ ଫିଲ୍ମ ପାଇଁ ଓଟିଟି ଏକ ଭଲ ପ୍ଲାଟଫର୍ମ। ବିଭିନ୍ନ ରାଜ୍ୟ ଏବଂ ଭାଷାର ସିନେମା ଦେଖିବା ପାଇଁ ଏହା ଆମକୁ ସୁଯୋଗ ଦେଇଛି।

You might also like