ରଥଯାତ୍ରା ବେଳେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର !
ପୁରୀ: ପୁଣି ବଦ୍ନାମ୍ ହେଲା ଓଡ଼ିଶା,ବଦ୍ନାମ ହେଲା ପୁରୀ ସହର। ଶ୍ରୀଗୁଣ୍ଡିଚାଯାତ୍ରା ଦିନ ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏ ନେଇ ନିଜ କ୍ଷୋଭକୁ ଅଭିନେତ୍ରୀ ମାହିକା ସୋସିଆଲ୍ ସାଇଟ୍ରେ ପୋଷ୍ଟ କରିଛନ୍ତି। ଗତ ଶନିବାର ରଥଯାତ୍ରା ଦିନ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି।
ସକାଳ ପ୍ରାୟ ୬ଟା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଘେରିଯାଇ କମେଣ୍ଟ ମାରିବା ସହିତ ଧକ୍କା ମାରିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଚାପୁଡ଼ା ମାରିବା ପାଇଁ ଉଦ୍ୟମ କରିଥିବା ସେ ପୋଷ୍ଟ କରିଛନ୍ତି। ଏହାପରେ ସେ ଆଉ ମହାପ୍ରଭୁଙ୍କୁ ଦର୍ଶନ ନକରି ହୋଟେଲ୍କୁ ଫେରି ଆସିଥିବା ଦର୍ଶାଇଛନ୍ତି। ତେବେ ଘଟଣା ସଂପର୍କରେ ସେ ପୁଲିସରେ ଅଭିଯୋଗ କରିନାହାଁନ୍ତି। ଜଗନ୍ନାଥ ଯାହା ବିଚାର କରିବେ ବୋଲି ସେ ଲେଖିଛନ୍ତି।
ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ମୋ ସହ ଯିଏ ଏମିତି ବ୍ୟବହାର କଲେ ସେମାନେ ଭଗବାନ ଜଗନ୍ନାଥଙ୍କ ସନ୍ତାନ, ମୁଁ ମଧ୍ୟ ତାଙ୍କ ଝିଅ, ମୁଁ ସେମାନଙ୍କୁ କ୍ଷମା କରିଦେଉଛି…. ‘ମୁଁ ଆପଣଙ୍କୁ ଦର୍ଶନ କରିପାରିଲିନି, ମୋତେ ଆଶୀର୍ବଦ କରନ୍ତୁ।’
ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୁରୀରେ ମୁତୟନ ହୋଇଛନ୍ତି ହଜାର ହଜାର ପୁଲିସ । ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ନେଇ ପୂରା ବଡ଼ଦାଣ୍ଡ ଛାଇଯାଇଛି। ତଥାପି ମଧ୍ୟ ବଡ଼ଦାଣ୍ଡରେ ଉଦ୍ଭ୍ରାନ୍ତ ଯୁବକ ଏମିତି ଘଟଣା ଘଟାଉଛନ୍ତି ଆଉ ଶ୍ରୀକ୍ଷେତ୍ର ନିନ୍ଦିତ ହେଉଛି।